ନୟାଗଡ (ଏଟିଆର ବ୍ୟୁରୋ); ଏକଦା କନ୍ୟା ଭୃଣ ହତ୍ୟାର ନିନ୍ଦା ମୁଣ୍ଡାଇଥିଲା ନୟାଗଡ । ଏବେ ପୁଣିଥରେ କନ୍ୟା ଭୃଣ ହତ୍ୟା କରାଯାଉଥିବାର ସଙ୍ଗୀନ ଅଭିଯୋଗ ଆସିଛି । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପଛପଟେ ଥିବା ଏକ କ୍ଳିନିକରେ କରାଯାଉଥିଲା ଭୃଣହତ୍ୟା । ଗତକାଲି ବିଳମ୍ବିତ ରାତ୍ରିରେ ଏଠାରେ ବେଆଇନ ଗର୍ଭପାତ ଚାଲିଥିବା ଖବର ପାଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର କର୍ତ୍ତୃପକ୍ଷ ଓ ଟାଉନ ଥାନା ପୁଲିସ୍ ଚଢ଼ଉ କରିଥିଲେ। ସେଠାରେ ବେଆଇନ ଗର୍ଭପାତ କରିବାକୁ ଆସିଥିଲେ କଟକ ଜିଲ୍ଲା ନରସିଂହପୁର ଥାନା ଅଞ୍ଚଳର ଦମ୍ପତି ।
ଅଣ ସ୍ୱିକୃତିପ୍ରାପ୍ତ କ୍ଳିନିକରେ ଭୃଣହତ୍ୟା କରାଯାଉଥିବା ଖବର ପୋଲିସ ଏବଂ ପ୍ରଶାସନ ଜାଣିବା ପରେ ଚଢ଼ାଉ କରାଯାଇଥିଲା । ଚଢାଉ କରିବା ପରେ ମେଡିକାଲରେ ମହିଳାଙ୍କ ଗର୍ଭପାତ ହେବା ସହ ମୃତ ଶିଶୁ କନ୍ୟାର ଶବ ବ୍ୟବଚ୍ଛେଦ ବି ହୋଇଛି । କଟକ ନରସିଂହପୁର ଅଂଚଳର ଏହି ଦମ୍ପତ୍ତିଙ୍କର ପୂର୍ବରୁ ଯାଆଁଳା ଶିଶୁ କନ୍ୟା ଥିବା ଯୋଗୁଁ ସେମାନେ ଗର୍ଭପାତ କରିବା ପାଇଁ ଚାହିଁଥିବା ଜଣାପଡିଛି । ତେବେ ଏଥିରେ ନୟାଗଡ ମେଡିକାଲ ପଛପଟେ ଥିବା ଏହି ବେଆଇନ କ୍ଲିନିକ ସହଯୋଗ କରିଥିବା ଜାଣିବାକୁ ମିଳିଛି ।
ପୋଲିସ ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତ ଶ୍ରୀଧରକୁ ଗିରଫ କରି କୋର୍ଟ ଚାଲାଣ କରିଛି । ଶ୍ରୀଧର ନୟାଗଡ଼ର ଏକ ପ୍ରମୁଖ କ୍ଲିନିକ୍ରେ ଆଟେଣ୍ଟାଣ୍ଟ୍ ଭାବେ କାମ କରୁଥିବା ବେଳେ ନିଜେ ମଧ୍ୟ ଏକ ବେଆଇନ ଓ ଅଣପଞ୍ଜିକୃତ ପାଥୋଲାବ ଚଳାଇଛି। ଶ୍ରୀଧରର ଘର ସ୍ଥାନୀୟ ଇଟାମାଟି ଥାନା ଅଧୀନ ସରପଡ଼ାରେ ବୋଲି ଜଣାପଡ଼ିଛି। ଉକ୍ତ ମହିଳାଙ୍କ ଗର୍ଭପାତ ନିମନ୍ତେ ତ୍ରୁଟିପୂର୍ଣ୍ଣ ଚିକିତ୍ସା କରାଯାଇଥିବାରୁ ତାଙ୍କ ସ୍ବାସ୍ଥ୍ୟ ପ୍ରତି ବିପଦ ଆଶଙ୍କା କରି ଗତକାଲି ରାତିରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ତାଙ୍କର ଗର୍ଭପାତ କରାଯାଇଥିବା ସୂଚନା ମିଳିଛି। ଶ୍ରୀଧରଙ୍କ ସହିତ ଏହି ଘଟଣାରେ ଆଉ କିଏ କିଏ ସଂପୃକ୍ତ ଅଛନ୍ତି ସେ ନେଇ ପୁଲିସ ଅନୁସନ୍ଧାନ ଚଳାଇଛି।