ଭୁବନେଶ୍ୱର,(ଏଟିଆରବ୍ୟୁରୋ): ନିଜକୁ ଆଇଏଏସ ବୋଲାଉଥିବା ଜଣେ ଭଣ୍ଡକୁ ଗିରଫ କରିଛି କମିଶନରେଟ ପୁଲିସ । ଏହି ଭଣ୍ଡ ଜଣଙ୍କ ହେଉଛି ସାଲିଆସାହି ଅଞ୍ଚଳରେ ରହୁଥିବା ବିରଞ୍ଚି ନାରାୟଣ ନାଥ । ତାର କାଣ୍ଡ କାରନାମା ଶୁଣିଲେ ଆପଣଙ୍କ ହୋସ ଉଡିଯିବ । ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ, ବାବୁ ବିରଞ୍ଚି ମାଟ୍ରିମୋନୀରେ ନିଜକୁ ଆଇଏଏସ ପରିଚୟ ଦେଇ ବାହା ହେବାକୁ ମନ ବଳାଇଥିଲେ । ହେଲେ ଫାସରେ ଝିଅଙ୍କୁ ପକାଇବା ପୂର୍ବରୁ ନିଜେ କମିଶନରେଟ ପୁଲିସ ଜାଲରେ ଏବେ ପଡି ଯାଇଛନ୍ତି ।
ବିରଞ୍ଚିଙ୍କ କାଣ୍ଡ କାରନାମା ଏତିକି ନା’ ଆଉ କିଛି ଲୁଚି ରହିଛି ସେନେଇ ଅଧିକ ଖୋଳତାଡ ଆରମ୍ଭ ହୋଇଛି । ରିପୋର୍ଟ ଅନୁସାରେ, ସାଲିଆ ସାହିରେ ରହୁଥିବା ବିରଞ୍ଚି ପ୍ରଥମେ ନିଜକୁ ଏମ୍ସ ଡାକ୍ତର ଓ ପରେ ଆଇଏଏସ ଅଫିସର କହି ମାଟ୍ରିମୋନୀରେ ପ୍ରୋଫାଇଲ ତିଆରି କରିଥିଲେ । ଉଦ୍ଦେଶ୍ୟ ଥିଲା ଝିଅଙ୍କୁ ଫାସରେ ପକାଇବା । ସବୁଠୁ ବଡ଼ କଥା ହେଉଛି ବିରଞ୍ଚି ପୂର୍ବରୁ ବିବାହିତ । ହେଲେ ମୁଣ୍ଡରୁ କିନ୍ତୁ ପ୍ରେମ ନିଶା ଖସିନି । ତେବେ ମାଟ୍ରିମୋନୀରେ ବିରଞ୍ଚିଙ୍କ ପ୍ରୋଫାଇଲ ଦେଖି ବାଲେଶ୍ୱର ଅଞ୍ଚଳର ଜଣେ ପ୍ରଫେସର ନିଜ ଝିଅ ବାହାଘରର ପ୍ରସ୍ତାବ ଦେଇଥିଲେ ।
ହେଲେ ପଚରାଉଚରା ବେଳେ ବିରଞ୍ଚି ଡାକ୍ତର ନୁହଁନ୍ତି ବୋଲି ପ୍ରଫେସର ଜଣଙ୍କ ଜାଣିବାକୁ ପାଇଥିଲେ । ବାସ ଏହା ସମ୍ପର୍କରେ ତୁଟି ଯାଇଥିଲା । ତେବେ ବିରଞ୍ଚି କିନ୍ତୁ ହାର ମାନିବାକୁ ନାରାଜ ଥିଲେ । ଫଳରେ ଖେଳିଥିଲେ ଆଉ ଏକ ନୂଆ ଚାଲ । ଅଚାନକ୍ ବିରଞ୍ଚି ପୁଣି ନିଜ ପ୍ରୋଫାଇଲ ବଦଳାଇ ଦେଇଥିଲେ । ପୂର୍ବରୁ ଡାକ୍ତର ଥିବା ବିରଞ୍ଚି ସଙ୍ଗେସଙ୍ଗେ ମାଟ୍ରିମୋନୀରେ ଆଇଏଏସ ବନିଯାଇଥିଲେ । ଏହାପରେ ସେ ପୂର୍ନବାର ପ୍ରଫେସରଙ୍କ ଝିଅ ସହ ଯୋଗାଯୋଗ କରିଥିଲେ । ଝିଅଟି ବିରଞ୍ଚିଙ୍କ ଚାଲକ ଧରିବା ପରେ ଅତି ଚାଲାକର ସହ କଥାବାର୍ତ୍ତା ହେବା ନେଇ ଏକ ହୋଟେଲକୁ ଡାକିଥିଲେ ।
ବିରଞ୍ଚି ବି ହେଳା କରିନଥିଲେ । ଠିକଣା ସ୍ଥାନରେ ପହଞ୍ଚି ସେହି ଆଇଏଏସ ଫୁଟାଣି ଦେଖାଇଥିଲେ । ପରେ ଝିଅଙ୍କ ପରିବାର ଲୋକେ ବିରଞ୍ଚିକୁ କାବୁ କରି ଏବେ ପୁଲିିସର ଜୀମା ଦେଇଛନ୍ତି । ବିରଞ୍ଚିକୁ ଅଟକ ରଖି ପୁଲିସ ଏବେ ଅଧିକ ଖୋଳତାଡ ଆରମ୍ଭ କରିଛି । ବିରଞ୍ଚି ପୂର୍ବରୁ ଅନେକ ଝିଅଙ୍କ ସହ ଏଭଳି କରିଥିବା ଶୁଣିବାକୁ ମିଳୁଥିବା ବେଳେ କଥାରେ କେତେ ସତ ଅଛି ସେନଇ ତଦନ୍ତ ଆରମ୍ଭ କରିଛି ପୁଲିସ ।