ଭୁବନେଶ୍ୱର,(ଏଟିଆର ବ୍ୟୁରୋ): ଆଳୁ ଖୋଳୁ ଖୋଳୁ ମହାଦେବ ବାହାରିବା ଭଳି ଘଟଣା ଘଟିଛି ନନ୍ଦନକାନନ ଅଞ୍ଚଳରେ । ଏକ ବେଆଇନ ଦୋକାନ ଉଚ୍ଛେଦ କରିବାକୁ ଯାଇ ପୁଲିସ ପାଇଛି ଚୋରା ଗ୍ୟାସ ସିଲିଣ୍ଡରର ଲିଙ୍କ । ଗୋଟିଏ କି’ ଦୁଇଟି ନୁହେଁ ପାଖାପାଖି ୬୫ଟି ଗ୍ୟାସ ସିଲିଣ୍ଡର ପୁଲିସ ଜବତ କରିଛି । ଗ୍ୟାସ ସିଲିଣ୍ଡର କାହାର ଓ ଏଠାକୁ କିଏ ଆଣିଥିଲା ସେନେଇ ଅଧିକ ଖୋଳତାଡ ଆରମ୍ଭ ହୋଇଛି ।
ରିପୋର୍ଟ ଅନୁସାରେ, ରଘୁନାଥପୁର ଗାଁର ମୁଖ୍ୟ ରାସ୍ତାରେ ଏକ ଦୋକାନ ମାଡି ବସିଥିବା ଅଭିଯୋଗ ହୋଇଥିଲା । ଏହି ଦୋକାନକୁ ହଟାଇବାକୁ ଯାଇ ନନ୍ଦନକାନନ ପୁଲିସ ସେଠାରେ ପହଞ୍ଚିଥିଲା । ତେବେ ଦୋକାନ ଉଚ୍ଛେଦ ବେଳେ ହଠାତ ଦୋକାନ ଭିତରୁ ଏହି ଗ୍ୟାସ ସିଲିଣ୍ଡର ସବୁ ପୁଲିସ ହାତରେ ଲାଗିଥିଲା । ଯଦିଓ ଏହି ଘଟଣାରେ ପୁଲିସ କାହାରିକୁ ଗିରଫ କରିନାହିଁ ତଥାପି ଘଟଣା ପଛରେ ଦୋକାନୀର ହାତ ଥିବା ସନ୍ଦେହ କରାଯାଉଛି । ଉପଯୁକ୍ତ ପ୍ରମାଣ ମିଳିଲେ ତାକୁ ଗିରଫ କରାଯିବ ବୋଲି ପୁଲିସ ପକ୍ଷରୁ କୁହାଯାଇଛି ।
ସବୁଠୁ ବଡ଼ କଥା ହେଉଛି ଏତେ ପରିମାଣର ଚୋରା ଗ୍ୟାସ କାରବାର ହେଉଥିଲେ ବି କେମିତି ପ୍ରଶାସନ ଏହାର ଟେର ପାଉନାହିଁ । ଅଭିଯୋଗ ହୋଇଛି ରାଜଧାନୀର ଗଳିକନ୍ଦୀରେ ଏବେ ଏହି ଚୋରା ଗ୍ୟାସ ସିଲିଣ୍ଡର କାରବାର ଜୋରଦାର ଚାଲିଛି । ସେପଟେ ଏହି ବେଆଇନ କାରବାର ପଛରେ କାହାର ହାତ ରହିଛି? ଏହି କାରବାରର ଚେର କେତେବାଟ ଲମ୍ବିଛି? ସେ ସମ୍ପର୍କରେ ତଦନ୍ତ ଆରମ୍ଭ କରିଛି ପୁଲିସ । ଖୁବ ଶୀଘ୍ର ସମ୍ପୃକ୍ତ ଏକ ଗ୍ୟାଙ୍ଗ ଧରାପଡିବ ବୋଲି ପୁଲିସ ଆଶା ବାନ୍ଧିଛି ।