ଭୁବନେଶ୍ୱର,(ଏଟିଆର ବ୍ୟୁରୋ): ସରକାରୀ ଗାଡି ସାଜିଛି ଚୋରା କାରବାରର ସହଜ ମାଧ୍ୟମ । ଆମେ ଏଥିପାଇଁ ଏକଥା କହୁଛୁ କାରଣ ସେଭଳି କିଛି ଘଟଣାର ପର୍ଦ୍ଦାଫାସ କରିଛି ବାଣିଜ୍ୟକର ବିଭାଗ । ଗାଡିରୁ ଠାବ କରିଛି ବସ୍ତାବସ୍ତା ଚୋରା ଗୁଟଖା । ବ୍ରହ୍ମପୁରରୁ ଭୁବନେଶ୍ୱର ଆସୁଥିବା ଓଏସଆରଟିସି ଗାଡିରୁ ଏହି ଗୁଟଖା ଜବତ କରାଯାଇଛି । ସକାଳେ ଗାଡିରେ ଏହି ଚୋରା କାରବାର ହେଉଥିବା ନେଇ ଖବର ମିଳିବା ପରେ ଅଚାନକ ଏକ ଟିମ ଚଢ଼ାଉ କରିଥିଲା । ତେବେ ଚଢ଼ାଉ ପରେ ଯେଉଁ ଘଟଣା ସାମ୍ନାକୁ ଆସିଥିଲା ତାହା ପୂରା ଟିମକୁ ଚକିତ କରିଥିଲା ।
ଗାଡି ଭିତରୁ ଠାବ ହୋଇଥିଲା ୯୦ବସ୍ତା ଗୁଟଖା । ସରକାରୀ ବସରେ ପୁଣି ଏଭଳି କଳାଧନ୍ଦା, ଏବେ ସମସ୍ତଙ୍କ ବିପି ବଢ଼ାଇ ଦେଇଛି । ବ୍ରହ୍ମପୁରରେ ଚୋରା ଗୁଟଖା କାରବାର ଚାଲୁଥିବା ନେଇ ପୂର୍ବରୁ ଲଗାତାର ଏଟିଆର ଖବର ପ୍ରକାଶ କରିଥିଲା । ଏ କଥା ବି ଏଟିଆର ସ୍ପଷ୍ଟ କରିଥିଲା କି’ କେତେକ ପୁଲିସ କର୍ମଚାରୀଙ୍କୁ ହାତ କରି ଏହି ଦୋନମ୍ବରୀ କାମ ଚାଲୁଛି । ତଥାପି ଏହା ଉପରେ କିଛି ବି ପ୍ରଭାବ ପଡିନଥିଲା । ଆଜି ବାଣିଜ୍ୟକର ବିଭାଗ ଛାପା ମାରିବା ପରେ ପୂରା ଘଟଣା ସାମ୍ନାକୁ ଆସିଛି । ସୂଚନାଯୋଗ୍ୟ, ବଡ଼ବଜାର ଅଞ୍ଚଳରେ ନକଲି ଗୁଟଖା ଓ ଚୋରା ମଦ କାରବାର ଜୋରଦାର ଚାଲିଛି । ଏ କଥା ନୁହେଁ ଯେ, ପୁଲିସ କିଛି ଜାଣିନି । ବରଂ ମାସିକିଆ ବଟି ନେଇ ପୁଲିସ ଏହାକୁ ସହଯୋଗ କରୁଥିବା ଲୋକେ ଅଭିଯୋଗ କରିଛନ୍ତି ।