ସୁବର୍ଣ୍ଣପୁର (ଏଟିଆର ବ୍ୟୁରୋ); ପୁରୁଣା କର୍ମଚାରୀଙ୍କୁ ଛଟେଇ କରାଯାଉଛି । ନୂଆ ନିଯୁକ୍ତି କରାଇ ଦେବା ପାଇଁ ହେଉଛି ବ୍ୟାପକ ଅର୍ଥ କାରବାର । ତେବେ ଏନେଇ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ପାଖରେ ଅଭିଯୋଗ କରିଥିଲେ ସୁଦ୍ଧା କୌଣସି ଫରକ ପଡି ନଥିଲା । ଶେଷରେ ହୋମଗାର୍ଡ ଚାକିରୀରୁ ଛଟେଇ ହୋଇଥିବା କର୍ମଚାରୀ ବିଷ ପିଇ ଆତ୍ମହତ୍ୟା କରିବା ପାଇଁ ଚେଷ୍ଟା କରିଥିଲେ । ଆତ୍ମହତ୍ୟା ଉଦ୍ୟମ କରିଥିବା ହୋମଗାର୍ଡ ହେଲେ ଗୁପ୍ତେଶ୍ୱର ହାତୀ । ତାଙ୍କ ଘର ବୀରମହାରାଜପୁର ଥାନା ମାଣିକପୁର ଗାଁରେ । ତାଙ୍କୁ ସୋନପୁର ମେଡିକାଲରେ ଭର୍ତ୍ତି କରାଯାଇଛି ।
ସୂଚନାଯୋଗ୍ୟ, କିଛିଦିନ ପୂବେ କାର୍ଯ୍ୟରତ ହୋମଗାର୍ଡମାନଙ୍କୁ ଛଟେଇ କରାଯାଇ ନୂଆ ନିଯୁକ୍ତ କରାଯାଇଛି । ତେବେ ଏହି ନୂଆ ନିଯୁକ୍ତି କରାଇବା ପାଇଁ ଟଙ୍କା କାରବାର ହୋଇଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ କରାଯାଇଥିଲା । କିନ୍ତୁ ଏହାର କୌଣସି ପ୍ରଭାବ ପଡିନଥିଲା । ତେବେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ କହିଛନ୍ତି କିଛି ଅନୀୟମିତା ହୋଇନାହିଁ । ଉପଯୁକ୍ତ ପ୍ରାର୍ଥୀଙ୍କୁ ନିଯୁକ୍ତ ଦିଆଯାଇଛି ବୋଲି ମଧ୍ୟ କହିଛନ୍ତି ।
ନ୍ୟାୟ ନମିଳିବା ପରେ ଗୁପ୍ତେଶ୍ୱର ମାନସିକ ଭାରସାମ୍ୟ ହରାଇ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ପରିବାର ଲୋକ ଜାଣିବା ପରେ ତାଙ୍କୁ ତୁରନ୍ତ ନେଇ ମେଡିକାଲରେ ଭର୍ତ୍ତି କରିଥିଲେ । ଏବେ ତାଙ୍କ ଅବସ୍ଥା ଭଲ ଥିବା ଡାକ୍ତର ସୂଚନା ଦେଇଛନ୍ତି ।