ପୁରୀ(ଏଟିଆର ବ୍ୟୁରୋ): ସ୍ତ୍ରୀର ଚରିତ୍ର ଉପରେ ସନ୍ଦେହ କରି ସ୍ୱାମୀ ପାଲଟିଲା ସଇତାନ । ଏହିଭଳି ଏକ ଲୋମଟାଙ୍କୁରା ଦୃଶ୍ୟ ଦେଖିବାକୁ ମିଳିଛି ଅସ୍ତରଙ୍ଗ ଥାନା ଅନ୍ତର୍ଗତ ରାଇବେରୁହାଁ ଗ୍ରାମରେ । ଅଭିଯୁକ୍ତ ସ୍ୱାମୀ ଗଣେଶ୍ୱର ବେଉରା ୮ବର୍ଷ ତଳେ ଅନ୍ନପୂର୍ଣ୍ଣାଙ୍କୁ ବିବାହ କରିଥିଲେ । ସେମାନଙ୍କର ଦେଢ ବର୍ଷର ଏକ କନ୍ୟା ସନ୍ତାନ ମଧ୍ୟ ଅଛି । ଗଣେଶ୍ୱର ଚେନ୍ନାଇରେ କାମ କରନ୍ତି । ଗଣେଶ୍ୱର ଅନ୍ନପୂର୍ଣ୍ଣାଙ୍କୁ ତାଙ୍କ ସାଙ୍ଗରେ ଚେନ୍ନାଇ ନେଇ ଯାଇଥିଲେ । ଗତ କିଛି ଦିନ ହେବ ସେମାନେ ନିଜ ଗାଁକୁ ଫେରିଥିଲେ ।
ତେବେ ଗାଁକୁ ଫେରିବା ପରେ ଉଭୟଙ୍କ ମଧ୍ୟରେ ହରଦମ ମତାନ୍ତର ହେଉଥିଲା । ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ସ୍ୱାମୀ ଗଣେଶ୍ୱର ତାଙ୍କୁ ମାରଧର କରୁଥିଲେ ବୋଲି ଅଭିଯୋଗ ହୋଇଛି । ଯାହା ରବିବାର ରାତିରେ ଉଗ୍ରରୂପ ନେଇଥିଲା । ହିତାହିତ ଜ୍ଞାନ ଭୁଲିଯାଇଥିଲେ ଗଣେଶ୍ୱର । ସାମାନ୍ୟ ପାଟିତୁଣ୍ଡରେ ଉତ୍ତ୍ୟକ୍ତ ହୋଇ ସ୍ତ୍ରୀଙ୍କୁ ହାଣି ପକାଇଥିଲେ । ଗଣେଶ୍ୱରଙ୍କ ଏହି ଉଗ୍ରରୂପ ଦେଖି ଘରୁ ତାଙ୍କ ବାପା ମା ପଳାଇଥିଲେ । ଆଜି ସକାଳେ ଅନ୍ନପୂର୍ଣ୍ଣାଙ୍କ କଟାମୁଣ୍ଡକୁ ଏକ ବ୍ୟାଗେ ରେ ପୁରାଇ ୮କିଲୋମିଟର ସାଇକୋଲ ଚଳାଇ ଥାନାରେ ପହଞ୍ଚିଥିଲେ ଗଣେଶ୍ୱର । ରକ୍ତ ଜୁଡୁବୁଡୁ ଅବସ୍ଥାରେ ଗଣେଶ୍ୱର ଏବଂ ବ୍ୟାଗରେ ଥିବା କଟାମୁଣ୍ଡ ଦେଖି ପୋଲିସ ମଧ୍ୟ ଭୟଭିତ ହୋଇ ଯାଇଥିଲା । ଏହି ଘଟଣାଟି ପୂରା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି । ପୋଲିସ ଅଭିଯୁକ୍ତ ସ୍ୱାମୀକୁ ଗିରଫ ସହ ସାଇଣ୍ଟିଫିକ୍ ଟିମ୍ ସହାୟତାରେ ଘଟଣାର ତଦନ୍ତ ଚଳାଇଛି ।