ଆଠମଲ୍ଲିକ(ଏଟିଆର ବ୍ୟୁରୋ): ଗତ କିଛି ଦିନ ତଳେ ବାଲେଶ୍ୱର ଅଞ୍ଚଳରେ ବିଷାକ୍ତ ମଦ ପିଇ ଶହେରୁ ଅଧିକ ଜୀବନ ଚାଲିଯାଇଥିଲା । ଏହି ଘଟଣା ମନରୁ ନ ଲିଭୁଣୁ ପୁଣି ମଦ ନେଲା ଆଉ ଗୋଟେ ଜୀବନ । ଏବେ ଏମିତି ଏକ ଅଭିଯୋଗ ଆସିଛି ଅନୁଗୁଳ ଜିଲ୍ଲାର ଆଠମଲ୍ଲିକ ଅଞ୍ଚଳରେ । ସୂଚନା ଅନୁସାରେ ତୁରୁଡା ଗ୍ରାମର ଗଙ୍ଗାଧର ବେହେରା ଗତଦୁଇ ଦିନ ହେବ ନିଖୋଜ ଥିଲେ । ଆଜି ସକାଳେ ତାଙ୍କ ମୃତ ଦେହ କିଶୋର ନଗର ଥାନା ଅନ୍ତର୍ଗତ ଅଗପଡା ପଞ୍ଚୟତ ବୁଦୁଲିମୁଣ୍ଡା ଚୋରା ମଦଭାଟି ନିକଟରୁ ମିଳିଛି । ପରିବାର ଲୋକେ ଏନେଇ ବୁଦୁଲିମୁୁଣ୍ଡା ମଦଭାଟିରୁ ଗଙ୍ଗାଧର ମଦ ପିଇ ମୃତୁ ବରଣ କରିଥିବା ଥାନାରେ ଅଭିଯୋଗ କରିଛନ୍ତି ।
ଏହା ପୂର୍ବରୁ ମଧ୍ୟ ଏହି ଅଞ୍ଚଳରେ ଚୋରା ମଦ ପିଇ ଅନେକ ଲୋକ ମୃତୁବରଣ କରିଥିବାର ଅଭିଯୋଗ ହୋଇଛି । ଏହି ଅଞ୍ଚଳରେ ଦେଶୀ ଓ ବିଦେଶୀ ମଦର ଚୋରା ବ୍ୟବସାୟ ଦିନକୁ ଦିନ ବଡୁଥିବା ଅଭିଯୋଗ ଆଣିଛନ୍ତି ଗ୍ରାମବାସୀ । ଏହାକୁ ନେଇ ଅବକାରୀ ବିଭାଗ ହେଉ କି କିଶୋର ନଗର ଥାନା ହେଉ କୌଣସି ପଦକ୍ଷେପ ନେଉ ନଥିବାରୁ ଚୋରା ମଦ ବ୍ୟବସାୟୀଙ୍କର ପାର୍ଦୁଭାବ ବଢିବାରେ ଲାଗିଛି । ଏଯାବତ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ନଥିବାରୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଉତ୍ତେଜନା ଦେଖାଦେଇଛି ।