କେନ୍ଦ୍ରାପଡା,(ଏଟିଆରବ୍ୟୁରୋ): କଥାରେ କିଛି ନାହିଁ । ହେଲେ ଯେଉଁ ଦଣ୍ଡ ମିଳିଲା ତାହା ସଭ୍ୟ ସମାଜ ପାଇଁ ଆଦୌ ଗ୍ରହଣୀୟ ନୁହଁ । ଆମେ କହୁଛୁ କେନ୍ଦ୍ରାପଡା ଅଞ୍ଚଳର ସନ୍ତୋଷ ବେହେରାଙ୍କ କଥା । ସନ୍ତୋଷଙ୍କୁ ଦିଆଯାଇଛି ଉଭୟ ମାନସିକ ଓ ଶାରୀରିକ ନିର୍ଯାତନା । ଯାହା ଶୁଣିଲେ ଆପଣଙ୍କ ହୋସ୍ ଉଡିଯିବ । ସିଧା କହିବାକୁ ଗଲେ ସାମାନ୍ୟ କଥାକୁ ନେଇ ସନ୍ତୋଷଙ୍କୁ ଏକ ଇଲେକ୍ଟ୍ରି ଖୁଣ୍ଟରେ ବାନ୍ଧି ଦିଆଯାଇଥିଲା ।
ଶହ ଶହ ଲୋକ ଦେଖୁଥିଲେ ହେଁ କେହି ଏହାର ପ୍ରତିବାଦ କରିନଥିଲେ । ସବୁଠୁ ବଡ଼ କଥା ହେଉଛି ଏନେଇ ଥାନାରେ ଅଭିଯୋଗ ହୋଇଥିଲେ ହେଁ ପୁଲିସ ବି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିବା ଅଭିଯୋଗ ହୋଇଛି । ସନ୍ତୋଷଙ୍କୁ ଖୁଣ୍ଟରେ ବନ୍ଧା ଯିବା ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଯାହାକି ସନ୍ତୋଷଙ୍କ ମାନସିକ ସ୍ଥିତିକୁ ଆହୁରି ଦୁର୍ବଳ କରି ପକାଇଛି । ଖବର ନେବାରୁ ଜଣାପଡିଛି ଘଟଣା ହେଉଛି ଗତ ୧୩ତାରିଖର । କେନ୍ଦ୍ରାପଡା ପୁରୁଷୋତମପୁର ଅଞ୍ଚଳର ସନ୍ତୋଷ ବେହେରାଙ୍କ ଭୁଲ ଏତିକି ଯେ, ସେ ପୋଟଳ କିଆରୀ ଦେଇ ହଳ ବଳଦ ନେବାକୁ ବିରୋଧ କରିଥିଲେ ।
ଯେଉଁଥିପାଇଁ ସେ ଟାର୍ଗେଟକୁ ଆସିଥିଲେ । ସଂଘବଦ୍ଧ ଭାବେ ମିଶି ଅଭିଯୁକ୍ତମାନେ ସନ୍ତୋଷଙ୍କୁ ରାସ୍ତା କଡ଼ରେ ଥିବା ପୋଲ ଖୁଣ୍ଟରେ ବାନ୍ଧି ପକାଇଥିଲେ । ଦିବା ଲୋକରେ ଏମିତି ଘଟଣା ଘଟୁଥିଲେ ବି କେହି ଏହାର ପ୍ରତିବାଦ କରିନଥିଲେ । ଫଳରେ ନାଚାର ହୋଇ ଚୁପଚାପ ନିର୍ଯାତନା ପାଇଥିଲେ ସନ୍ତୋଷ । ଏବେ ଫଟୋଟି ଭାଇରାଲ ହେବା ପରେ ଘଟଣା ସାମ୍ନାକୁ ଆସିଛି । ଆଶା କରିବୁ ଏହି ଘଟଣାରେ ଜଡିତ ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ପୋଲିସ ।