ଭୁବନେଶ୍ୱର(ଏଟିଆର ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରରେ ଟ୍ରାଫିକର ନୂଆ ନିୟମ ଆସିବା ଦିନରୁ ସବୁ ଗଳି କନ୍ଦିରେ ପୋଲିସ ଠିଆ ହୋଇ ଚେକିଙ୍ଗି କରୁଛିି । ହେଲେ ଲୁଟେରା ମାନେ ପୋଲିସ ଆଖିରେ ଧୂଳି ଦେଇ ଗୋଟିଏ ପରେ ଗୋଟିଏ ଲୁଟ କରିବାରେ ସଫଳ ହେଉଛନ୍ତି । ଏଭଳି ଏକ ଲୁଟ ଦେଖିବାକୁ ମିଳିଛି ଖୋଦ ରାଜଧାନୀର ଖଣ୍ଡଗିରି ଅଞ୍ଚଳରେ । ସୂଚନା ଅନୁସାରେ ଖଣ୍ଡଗିରି ଅଞ୍ଚଳର ସତ୍ୟସାଇ ଏନକ୍ଲେଭରେ ରହୁଥିବା ଶିକ୍ଷୟତ୍ରୀ ସୁମିତ୍ରା ପରିଡାଙ୍କ ଘରେ ଲୁଟ ହୋଇଛି । ସୁମିତ୍ରାଙ୍କ କହିବା ଅନୁସାରେ ସକାଳୁ ସେ ଓ ତାଙ୍କ ସ୍ୱାମୀ ନିଜ କାମରେ ବହାରି ଯାଇଥିଲେ । ଏହା ପୂର୍ବରୁ ତାଙ୍କର ପିଲା ମାନେ କଲେଜ ପଳାଇଥିଲେ ।
ତେବେ ସେମାନେ ଅପରାହ୍ନରେ ଘରକୁ ଫେରିଲା ବେଳକୁ ତାଙ୍କ ଘରେ ଲୁଟ ହୋଇଥିବାର ଜାଣିବାକୁ ପାଇଥିଲେ । ଦୁର୍ବୃତ୍ତ ମାନେ ପ୍ରଥମେ ଗ୍ରିଲ ଲାଗିଥିବା ତାଲା କାଟି ଘରେ ଭିତରେ ପଶି ଆଲମିରା ତାଡି ଥିଲେ । ଆଲମିରା ଭିତରୁ ୫ହଜାର ଟଙ୍କା ପାଇବା ପରେ ସେମାନେ ବକ୍ସ ଖଟକୁ ଖୋଲିଥିଲେ । ସେଥିରୁ ସେମାନେ ଗୋଟିଏ ସୁନା ହାର, ଗୋଟିଏ ଚେନ, ଦୁଇଟି ମଙ୍ଗଳ ସୂତ୍ର, ୩ ହଳ କାନଫୁଳ, ୪ଟି ମୁଦି ଓ ଦୁଇଟି ମୋବାଇଲ ଫୋନ ଲୁଟି ନେଇଥିଲେ । ଏହି ସବୁ ଜିନିଷର ପାଖାପାଖି ୮ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି । ତେବେ ଖଣ୍ଡଗିରି ଥାନାରେ ଶିକ୍ଷୟତ୍ରୀ ଜଣଙ୍କ ଅଭିଯୋଗ କଲା ପରେ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ପୋଲିସ ସୂଚନା ଅନୁସାରେ ଦିନ ୧୦.୫୦ ସମୟରେ ନିକଟରେ ଥିବା ଏକ ଦୋକାନରୁ ପାଚେରି କଡ ଦେଇ ସୁମିତ୍ରଙ୍କ ଘରେ ଦୁଇ ଜଣ ଦୁର୍ବୃତ୍ତ ପଶୁ ଥିବାର ଦୃଶ୍ୟ ସିସିଟିଭି ଫୁଟେଜରେ କଏଦ ହୋଇଛି । ଏହି ଫୁଟେଜ ପୋଲିସଙ୍କୁ ଦୁର୍ବୃତ୍ତଙ୍କୁ ଧରିବାରେ ସାହାର୍ଯ୍ୟ କରିବ ।