ଗଞ୍ଜାମ (ଏଟିଆର ବ୍ୟୁରୋ); ପ୍ରେମ କରିଛେ ମାନେ ସାଙ୍ଗ ହୋଇ ରହିବା । ଏକାଠି ରହିବା ନାହିଁ ତ ଏକାଠି ମରିବା । ପ୍ରେମ ଏଭଳି ଏକ ଜିନିଷ ଯାହା ମଣିଷକୁ ପାଗଳ କରି ଦେଇଥାଏ । ପ୍ରେମୀ ବିନା ଜୀବନ ଅଧୁରା ହୋଇଥାଏ । ଯାହାର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା କଇଠଡା ପଞ୍ଚାୟତ କମଳାପୁର ଗ୍ରାମରେ । କୌଣସି କାରଣରୁ ପ୍ରେମୀ ଯୁଗଳ କୀଟନାଶକ ଔଷଧ ଖାଇ ଆତ୍ମହତ୍ୟା କରିଛନ୍ତି । ମୃତ ପ୍ରେମୀ ଯୁଗଳ ହେଲେ ଝରିପଦର ଗ୍ରାମର ଏସ.ଦିବାନା ରେଡ୍ଡୀ (୨୭) ଓ ଚୈତନ୍ୟପୁର ଗ୍ରାମର ଲକ୍ଷ୍ମୀ ରେଡ୍ଡୀ (୧୯)। ଦିଗପହଣ୍ଡି ପୁଲିସ ଘଟଣାର ତଦନ୍ତ ଚଳାଇଛି।
ସୂଚନା ଅନୁଯାୟୀ, ଲକ୍ଷ୍ମୀ ଓ ଦିବାନା ପରସ୍ପରକୁ ଭଲ ପାଉଥିଲେ। ଆଜି ସକାଳେ ଔଷଧ କିଣିବାକୁ କହି ଦିଗପହଣ୍ଡି ଆସି ଆଉ ଘରକୁ ଫେରି ନ ଥିଲେ। ଅପରାହ୍ନ ୨ଟାରେ ଘରକୁ ଲକ୍ଷ୍ମୀ ଫୋନ୍ କରି କହିଥିଲେ ସେ ଦିବାନାଙ୍କ ସହ କାଶୀ ବିଶ୍ବନାଥ ଶୈବପୀଠରେ ଆତ୍ମହତ୍ୟା କରୁଛି। ଏହା ଜାଣିବା ପରେ ଲକ୍ଷ୍ମୀଙ୍କ ବାପା ରଘୁ ସଂଗେ ସଂଗେ ଦିଗପହଣ୍ଡି ଥାନାରେ ଏତଲା ଦେଇଥିଲେ। ସନ୍ଧ୍ୟା ବେଳେ ଉଭୟଙ୍କ ଶବ ମନ୍ଦିର ସଂଲଗ୍ନ ଜଙ୍ଗଲ ପାଖରୁ ଉଦ୍ଧାର କରାଯାଇଥିଲା। ପୁଲିସ ଶବକୁ ଜବତ କରିବା ସହ ବ୍ରହ୍ମପୁର ବଡ଼ମେଡିକାଲ ବ୍ୟବଚ୍ଛେଦ ପାଇଁ ପଠାଇଛି। ତେବେ ବର୍ତ୍ତମାନ ସୁଦ୍ଧା କାରଣ ସ୍ପଷ୍ଟ ହୋଇପାରିନି। ପରିବାର ଲୋକ ବିବାହ କରିବାକୁ ରାଜି ନହେବାରୁ ଉଭୟ ଏଭଳି କରିଥାଇପାରନ୍ତି ବୋଲି ଚର୍ଚ୍ଚା ହେଉଛି ।