କଳାହାଣ୍ଡି (ଏଟିଆର ବ୍ୟୁରୋ); ସମ୍ପତି ଆଗରେ ତୁଛ ହୋଇଗଲା ପୁଅ । ଶେଷରେ ସମ୍ପତି ପାଇଁ ପୁଅକୁ ଠେଙ୍ଗାରେ ପିଟି ମାରିଦେଲା ବାପା । ତେବେ ଏଭଳି ଅଭାବନୀୟ ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ଗାଇ ଗାଁରେ । ଏହି ଗ୍ରାମର ସରପଞ୍ଚ ଟୋପିମଣି ସାହୁ ପୁଅ ସନ୍ତୋଷ ସାହୁଙ୍କୁ ଠେଙ୍ଗାରେ ପିଟି ମାରିଦେଇଥିବା ଥାନାରେ ଅଭିଯୋଗ କରିଛନ୍ତି ମୃତକଙ୍କ ସ୍ତ୍ରୀ । ଏହି ଅଭିଯୋଗ ଆଧାରରେ ପୋଲିସ ଅଭିଯୁକ୍ତ ଟୋପିମଣିଙ୍କୁ ଗିରଫ କରି ପଚରା ଉଚରା କରୁଛି । ତେବେ ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ବେଶ ଚର୍ଚ୍ଚା ଆରମ୍ଭ ହୋଇଛି ।
ସୂଚନା ଅନୁଯାୟୀ ଜମି ବାଡି ଭାଗ ବଣ୍ଟାକୁ ନେଇ ବାପା ଏବଂ ପୁଅ ମଧ୍ୟରେ କିଛି ଦିନ ହେବ ପାଟିତୁଣ୍ଡ ହୋଇ ଆସୁଥିଲା । ଘରେ ସବୁବେଳେ ଦୁହିଁଙ୍କ ମଧ୍ୟରେ ବଚସା ଲାଗି ରହିଥିଲା । ତେବେ ଶନିବାର ପୁଣିଥରେ ଏହି ଜମିଜମା ମାମଲାକୁ ନେଇ ବାପା ପୁଅଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ପରେ ଏହି ଗଣ୍ଡଗୋଳ ଏତେ ଆଗକୁ ପଳେଇଥିଲା କି ଟୋପିମଣି ପୁଅକୁ ଠେଙ୍ଗାରେ ଆକ୍ରମଣ କରିଥିଲେ । ପରେ ଗାଁ ଲୋକ ସେମାନଙ୍କୁ ଆୟତ କରିବା ସହିତ ଗୁରୁତର ଆହତ ସନ୍ତୋଷଙ୍କୁ ମେଡିକାଲରେ ଭର୍ତ୍ତି କରିବା ପାଇଁ ନେଇ ଯାଉଥିଲେ । ମେଡିକାଲ ନେବା ବାଟରେ ହିଁ ସନ୍ତୋଷଙ୍କର ମୃତ୍ୟୁ ହୋଇଥିଲା । ପରେ ସନ୍ତୋଷଙ୍କ ସ୍ତ୍ରୀ ଥାନରେ ଶ୍ୱଶୁରଙ୍କ ନାମରେ ଏତଲା ଦେଇଥିଲେ । ପୋଲିସ ଖବର ପାଇ ମୃତ ଦେହକୁ ଉଦ୍ଧାର କରି ବ୍ୟବଛେଦ ପାଇଁ ପଠାଇ ଦେଇଛି । ଏବଂ ଟୋପିମଣିଙ୍କୁ ଗିରଫ କରିଛି ।