ଭୁବନେଶ୍ୱର (ଏଟିଆର ବ୍ୟୁରୋ ) ; ଉପକୂଳ ଓ ଆଭ୍ୟନ୍ତରୀଣ ଓଡିଶାରେ ବର୍ଷା ସମ୍ଭାବନା । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ଅନେକ ସ୍ଥାନରେ ପବନ ସହ ଘଡଘଡି ଓ ବର୍ଷା ହେବାର ସମ୍ଭାବନା ରହିଥିବା ପାଣିପାଗ ବିଭାଗ କହିଛି । ସମୁଦ୍ର ପତନରେ ରହିଥିବା ମନସୁନ ଟ୍ରପର କେନ୍ଦ୍ର ଏବେ ହିମାଳୟ ପାଦଦେଶ ଆଡକୁ ଗତିକରୁଛି । ପୂର୍ବ ବିହାର ଏବଂ ପଶ୍ଚିମ-କେନ୍ଦ୍ର ବଙ୍ଗୋପସାଗରରେ ଥିବା ଉତ୍ତର-ଦକ୍ଷିଣ ଟ୍ରପ୍ ବର୍ତ୍ତମାନ ଝାଡ଼ଖଣ୍ଡ ଏବଂ ଉତ୍ତର-ପୂର୍ବ ଓଡ଼ିଶା ଦେଇ ଅତିକ୍ରମ କରୁଥିବାରୁ ଏହାର ପ୍ରଭାବରେ ରାଜ୍ୟର ଉପକୂଳ ସମେତ ଉତ୍ତର ଓ ଆଭ୍ୟନ୍ତରୀଣ ଓଡ଼ିଶାର କେତେକ ସ୍ଥାନରେ ପବନ ସହ ଘଡଘଡି ଓ ବର୍ଷା ହେବାର ସମ୍ଭାବନା ରହିଥିବା ପାଣିପାଗ ବିଭାଗ ସୂଚନା ଦେଇଛି ।
ତେବେ ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ସାମାନ୍ୟ ମେଘୁଆ ରହିବ ପାଗ । ଏହାସହ କଟକ ଓ ଏହାର ଆଖପାଖ ଅଞ୍ଚଳରେ ମଧ୍ୟ ଘଡଘଡି ସହ ସ୍ୱଳ୍ପ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ କହିଛି । ସେହିଭଳି ରାଜ୍ୟରେ ତାପମାତ୍ରା ମଧ୍ୟ ମଧ୍ୟମ ଧରଣର ରହିଛି ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ସୂଚନା ଦେଇଛି । ରାଜ୍ୟର ଭୁବନେଶ୍ୱର ଓ କଟକରେ ସର୍ବାଧିକ ୩୪ ଡିଗ୍ରି ଓ ସର୍ବନିମ୍ନ ୨୪ ଡିଗ୍ରି ସେଲସିୟସ ତାପମାତ୍ରା ରେକର୍ଡ କରାଯାଇଛି ।