ଯାଜପୁର (ଏଟିଆର ବ୍ୟୁରୋ); କଥାରେ ଅଛି ଜ୍ଜାଇଁ କୁଣିଆଁଠୁ ଦୁନିଆରେ ଆଉ କିଛି ବଡ ଚର୍ଚ୍ଚା ନାହିଁ । ତେବେ ଆଜି ଏଭଳି ଏକ ଘଟଣା ନଜରକୁ ଆସିଛି ଯାହା ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ । ଶ୍ୱଶୁର ଘରକୁ ଯାଇଥିବା ଜ୍ଜାଇଁଙ୍କୁ କୁଣିଆଁ କରିବା ପରିବର୍ତ୍ତେ ମାରିଦେଲେ ଶ୍ୱଶୁର ଘର ଲୋକ । ଯାଜପୁର ଜିଲ୍ଲା ବରୀ ଥାନା ଅନ୍ତର୍ଗତ ଅନ୍ୟାସପୁର ଗାଁରୁ ଆସିଛି ଏଭଳି ଅଭିଯୋଗ । ମୃତକ ହେଲେ କେନ୍ଦ୍ରାପଡା ଜିଲ୍ଲା ଇନ୍ଦୁପୁର ଗାଁର ସନ୍ଥ ସେଠୀ । ପୋଲିସ ଖବର ପାଇବା ପରେ ମୃତ ଦେହକୁ ଉଦ୍ଧାର କରି ବ୍ୟବଛେଦ ପାଇଁ ପଠାଇ ଦେଇଛି ।
ସୂଚନା ଅନୁଯାୟୀ, ବର୍ଷେ ତଳେ ସନ୍ଥ ଅନ୍ୟାସପୁରର ଜଣେ ଯୁବତୀଙ୍କୁ ନେଇ ଫେରାର ହୋଇଯାଇଥିଲେ । ଉଭୟ ବିବାହ କରିବା ସହିତ ୪ମାସ ବିତାଇଥିଲେ । ଏବଂ ପରେ ସନ୍ଥ ଝିଅକୁ ଆଣି ଶ୍ୱଶୁର ଘରେ ଛାଡି ଦେଇ ଚାଲିଯାଇଥିଲା । ତେବେ ଛାଡିବା ପରେ ଉଭୟଙ୍କ ମଧ୍ୟରେ ଝଗଡା ହୋଇଥିଲା । ଯେଉଁ କାରଣରୁ ସେ ଶ୍ୱଶୁର ଘରକୁ ଆସୁନଥିଲେ ।
ଗତକାଲି ନିଜ ସ୍ତ୍ରୀଙ୍କୁ ଘରକୁ ଫେରାଇ ନେବା ପାଇଁ ସନ୍ଥ ଆସିଥିଲେ । ତେବେ ଶ୍ୱଶୁର ଘର ଲୋକ ଝିଅକୁ ଛାଡିବେନି ବୋଲି କହିଥିଲେ । ଯାହକୁ ନେଇ ଶ୍ୱଶୁର ଏବଂ ଶଳାଙ୍କ ସହ ସନ୍ଥଙ୍କ ଝଗଡା ହୋଇଥିଲା । ପରେ ଏହି ଝଗଡା ଉଗ୍ର ରୂପ ନେଇଥିଲା । ସନ୍ଥଙ୍କୁ ତାଙ୍କ ଶ୍ୱଶୁର ଘର ଲୋକ ମିଶି କାଠ ଫାଳିଆ ଏବଂ ଲୁହା ରଡରେ ଆକ୍ରମଣ କରିଥିଲେ । ମାଡ ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା । ଆଜି ସକାଳେ ସନ୍ଥଙ୍କ ବାପା ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି । ପୋଲିସ ତଦନ୍ତ ଆରମ୍ଭ କରିଛି ।