ଭୁବନେଶ୍ୱର,(ବ୍ୟୁରୋ): ଗୋଟେପଟେ ଭୁବନେଶ୍ୱର ଏମ୍ସ ଛାତ୍ରଙ୍କ ନିଖୋଜ ଘଟଣାରେ କମିଶନରେଟ ପୁଲିସ ତଦନ୍ତ ଜାରି ରଖିଥିବା ବେଳେ ମାଓ ନେତା ସବ୍ୟସଚୀଙ୍କୁ ଛାଡ ନହେଲେ ଛାତ୍ର ଜଣଙ୍କୁ ମାରିଦେବୁ ଭଳି ଧମକଚମକ ଆସିଛି । କେହି ଗ୍ୟାଙ୍ଗଷ୍ଟାର ବା ଦୁର୍ବୁତ ଏମିତି ବାର୍ତା ଦେଇ ନାହାନ୍ତି । ବରଂ ଦେଇଛନ୍ତି ମାଓ ସଂଗଠନ । ବରମୁଣ୍ଡା ଓଭରବ୍ରିଜ କାନ୍ଥରେ ପୋଷ୍ଟ ହୋଇଥିବା ଏକ ସନ୍ଦିଗ୍ଧ ପୋଷ୍ଟର ଯୋଗେ ଏମିତି ଧମକ ଆସିଛି । ଯାହା ପୁରା ରାଜଧାନୀରେ ଚହଳ ପକାଇଛି । ସେପଟେ ଏହି ଖବର ଆସିବା ପରେ ପୁଲିସ ତଦନ୍ତ ଜୋର କରିଥିବା ଜଣାପଡିଛି ।
ଏମ୍ସର ଡାକ୍ତରୀ ଛାତ୍ର ସୁହେଲ ଆଇଜାଜକୁ ମାଓବାଦୀ ଅପହରଣ କରି ନେଇଥିବା ପୋଷ୍ଟର ଯୋଗେ ଚେତାବନି ଦେଇଛନ୍ତି । ପୋଷ୍ଟରେ ଉଲ୍ଲେଖ ରହିଛି ଯେ, ସବ୍ୟସଚୀ ପଣ୍ଡାକୁ ଛାଡ ନ ହେଲେ ଏମ୍ସରେ ପଢ଼ୁଥିବା ଛାତ୍ର ସୁହେଲ ଆଇଜାଜକୁ ମାରି ଦେବୁ । ଖାଲି ଏତିକି ନୁହେଁ ପୋଷ୍ଟରରେ ଏହା ମଧ୍ୟ କୁହାଯାଇଛି, ସୁହେଲ ମାଓବାଦୀଙ୍କ ପାଖରେ ଅଛି । ସାତ ଦିନ ଭିତରେ ସବ୍ୟସଚୀ ପଣ୍ଡାକୁ ନ ଛାଡିଲେ ଛାତ୍ର ଜଣକୁ ମାରି ଦିଆଯିବ । ଏବଂ ପରେ ମାର୍ଚ୍ଚ ୧୧ରୁ ପୁଲିସ ଷ୍ଟେସନ, ରେଳଷ୍ଟସନରେ ବିସ୍ଫରଣ ହେବ । ଷ୍ଟେସନରେ ସହ ସହ ଯାତ୍ରୀ ମରିବେ ବୋଲି ଉଲ୍ଲେଖ ରହିଛି । ଏହାକୁ ସିପିଆଇ(ମାଓବାଦୀ)ର ଓଡ଼ିଶା ରାଜ୍ୟ କମିଟି ପଠାଇଥିବା ପୋଷ୍ଟରରେ ଲେଖା ରହିଛି ।
ତେବେ ଏ ପୋଷ୍ଟର ଛାଡିଛି କିଏ? ସବୁଠୁ ବଡ଼ କଥା ହେଉଛି ପୋଷ୍ଟଟି ନୀଳ ରଙ୍ଗରେ ଲେଖା ହୋଇଥିବା ବେଳେ ସଂଗଠନ ନାମ ନାଲି ରଙ୍ଗରେ ଲେଖା ହୋଇଛି । ହେଲେ ମାଓ ସଂଗଠନ ମୁଖ୍ୟତଃ ନାଲି ରଙ୍ଗରେ ହିଁ ଲେଖନ୍ତି । ନୀଳ ରଙ୍ଗରେ ଲେଖା ଥିବାରୁ ଏହା ମାଓବାଦୀ ପୋଷ୍ଟର ନୁହେଁ ବରଂ କୌଣସି ବ୍ୟକ୍ତି ଜାଣିଶୁଣି ଏଭଳି କରିଥିବା କୁହାଯାଉଛି ।