ଢ଼େଙ୍କାନାଳ (ଏଟିଆର ବ୍ୟୁରୋ); ଚକମା ଖାଇଲା ପୋଲିସ । ବାହାଦୁରି ମାରୁଥିବା ପୋଲିସକୁ ଧୂଳି ଚଟାଇଲା ନାବାଳକ ଆସାମୀ । ବିନା ଦୋଷରେ ବିଭିନ୍ନ ସମୟରେ ଲୋକଙ୍କୁ ରାସ୍ତା ଉପରୁ ସାଧାରଣ ଲୋକଙ୍କୁ ହରରାଣ କରୁଥିବା ପୋଲିସ ଆସାମୀ ଖସିଯିବା ପରେ ରାତିସାରା ଖୋଜିଖୋଜି ନୟାନ୍ତ ହୋଇଯାଇଛି । ଯେତେ ପରିଶ୍ରମ କରି ଖୋଜିଥିଲେ ସୁଦ୍ଧା ମୁଗୁରା ପଛ ମେଲା ଭଳି ଅବସ୍ଥା ହୋଇଥିଲା । ତେବେ ଏଭଳି ପୋଲିସ କାନ୍ଦଣା ଘଟଣା ଘଟିଛି ଢ଼େଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନରେ । ଚୋରୀ କେସରେ ଫସିଥିବା ୧୭ ବର୍ଷିୟ ଟୁକୁନା ପାତ୍ର ନାମକ ଆସାମୀ ପୋଲିସକୁ ଚକମା ଦେଇ ଫେରାର ହୋଇଯାଇଛି ।
ମିଳିଥିବା ସୂଚନା ମୁତାବକ ଦୁଇଦିନ ତଳେ ମୁଣ୍ଡିଦେଉଳି ଅଞ୍ଚଳର ଅର୍ଜୁନ ଚରଣ ଖୁଣ୍ଟିଆଙ୍କ ଘରୁ ଚୋରି କେସରେ ଥାନାରେ ଫସିଥିଲା ଟୁକୁନା । ପୂର୍ବରୁ ମଧ୍ୟ ଟୁକୁନା ନାଁରେ ତିନୋଟି ମାମଲା ଥାନାରେ ରହିଛି । ଜଣେ ପୋଖତ ଚୋର ଭାବରେ ସେ କାମାକ୍ଷାନଗରରେ ବେଶ ପରିଚିତ । ତେବେ ପୋଲିସକୁ ଚକମା ଦେବା ପରେ ଆହୁରି ଚର୍ଚ୍ଚା ଘେରକୁ ଆସିଛି ଟୁକୁନା । ବୁଧବାର ବିଳମ୍ବିତ ରାତିରେ ଶୌଚାଳୟ ଯିବା ପାଇଁ କହି ସ୍କାଏ ଲାଇଟ ପଟଦେଇ ଫେରାର ହୋଇଯାଇଥିଲା ଟୁକୁନା । ତେବେ ଶୌଚାଳୟରୁ ବହୁ ସମୟ ଧରି ନବାହାରିବା ପରେ ପୋଲିସ ଦେଖିବା ବେଳକୁ ଛୁମାରିସାରିଥିଲା ଟୁକୁନା । ପରେ ପୋଲିସ କାମାକ୍ଷାନଗରର ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିଲା । କିନ୍ତୁ ବିଫଳ ହୋଇ ପୁଣିଥରେ ଥାନାକୁ ଫେରି ଆସିଥିଲା । ଏବେ ଖସିଯିବା ଅଭିଯୋଗରେ ଆଉ ଏକ ମାମଲା ରୁଜୁ କରିଛି ପୋଲିସ । ଥାନାରୁ ଆସାମୀ ଖସିଯିବା ପରେ ପୋଲିସର କାର୍ଯ୍ୟକୁ ନେଇ ଉଠିଛି ପ୍ରଶ୍ନବାଚୀ ।