କଳାହାଣ୍ଡି ( ଏଟିଆର ବ୍ୟୁରୋ): ପୁଣି ଲଜ୍ୟା । ନାବାଳିକାକୁ ଅପହରଣ ପରେ ଦୂଷ୍କର୍ମ । ଅଚେତ ଅବସ୍ଥାରେ ରାସ୍ତା କଡରୁ ପୋଲିସ କଲା ଉଦ୍ଧାର । ଏମିତି ଏକ ଅଭାବନୀୟ ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲା କୋଲସରା ଅଞ୍ଚଳରେ । ସୂଚନା ଅନୁସାରେ ୨ ଦିନ ତଳେ ସାରସପଡା ଗ୍ରାମରୁ ଜଣେ ୧୬ ବର୍ଷର ନାବାଳିକାକୁ କାଶି ବାହାଲ ଗ୍ରାମର ବିଶ୍ୱ ସବାରୁ ନାମକ ଯୁବକ ଏବଂ ତାଙ୍କ ସାଙ୍ଗ ଅପହରଣ କରି ନେଇଥିଲେ । ତେବେ ଅପହୃତ ନାବାଳିକ ଆଜି ଅଚେତ ଅବସ୍ଥାରେ ରାସ୍ତା କଡରେ ପଡିଥିବା ବେଳେ ପୁଲିସ ନାବାଳିକାକୁ ଉଦ୍ଧାର କରିଛି ।
ବିଶ୍ୱ ସବାରୁ ନାବାଳିକାକୁ ଦୂଷ୍କର୍ମ କରିବା ପରେ ସେଠାରେ ଆଣି ଫୋପାଡି ଦେଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ଅନ୍ୟପଟେ ନାବାଳିକାର ସ୍ୱାସ୍ଥ୍ୟବସ୍ଥା ଭଲ ନଥିବାରୁ ପୋଲିସ ଏତଲା ଦାୟର କରିନାହିଁ । ନାବାଳିକା ଟିକେ ସୁସ୍ଥ ହେଲେ ତାର ବୟାନଙ୍କୁ ଭିତ୍ତି କରି ପୋଲିସ ମାମଲା ରୁଜୁ କରିବ ବୋଲି ସୂଚନା ମିଳିଛି । ଅଭିଯୁକ୍ତ ମାନେ ଘଟଣା ଘଟାଇ ଫେରାର ହୋଇ ଯାଇଛନ୍ତି ।
ନାବାଳିକା ଏବେ କୋଲସରା ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି । ଘଟଣାକୁ ନେଇ ଗ୍ରାମରେ ଉତ୍ତେଜନା ଦେଖାଦେଇଛି । ଅଭିଯୁ୍କ୍ତ ମାନଙ୍କୁ ତୁରନ୍ତ ଗିରଫ କରିବା ପାଇଁ ଦାବି ହେଉଛି । ଗତ ଦୁଇଦିନ ତଳେ ଝିଅକୁ ଅପହରଣ କରାଯାଇଥିବା ନାବାଳିକାର ପରିବାର ସଦସ୍ୟ କହିଛନ୍ତି । ପୂର୍ବରୁ ଅପହରଣ ନେଇ ପୋଲିସରେ ଏତଲା ଦିଆ ହୋଇଥିଲା କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ ।