ଭୁବନେଶ୍ୱର (ଏଟିଆର ବ୍ୟୁରୋ) : ଆଜିଠାରୁ ଦୁଇ ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । ପୂର୍ବାହ୍ନ ୧୦ଟା ୧୦ରେ ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତଜାତୀୟ ବିମାନ ବନ୍ଦରରେ ପହଞ୍ଚିବେ । ସେଠାରେ ତାଙ୍କୁ ଉଭୟ ରାଜ୍ୟ ସରକାରଙ୍କ ଅଧିକାରୀ ଓ ରାଜ୍ୟ ବିଜେପି କର୍ମକର୍ତ୍ତାଙ୍କ ପକ୍ଷରୁ ଭବ୍ୟ ସ୍ୱାଗତ କରାଯିବ । ଏହାପରେ ୧୦ଟା ୪୦ରେ ଲୋକସେବା ଭବନର କନଭେନଶନ ହଲରେ ଯାଇ ସେଠାରେ ଅନୁଷ୍ଠିତ ହେବାକୁ ଥିବା ୨୪ତମ ପୂର୍ବାଞ୍ଚଳ ଜୋନ ପରିଷଦ ବୈଠକରେ ଯୋଗ ଗୃହମନ୍ତ୍ରୀ ଅମିତ ଶାହା ।
ବୈଠକ ଶେଷ ହେବା ପରେ ଅମିତ ଶାହା ୨ଟା ୩୦ରୁ ଅପରାହ୍ନ ୪ଟା ଯାଏ ଜନତା ମଇଦାନରେ ସିଏଏ ସମର୍ଥନରେ ହେବାକୁ ଥିବା ସଭାରେ ଯୋଗ ଦେବେ ଅମିତ ଶାହା । ଏହାସହ ବିଜେପିକୁ ସାଂଗଠନିକ ମଜବୁତ କରିବା ନିମନ୍ତେ ସଂନ୍ଧ୍ୟା ୬ଟାରୁ ୭ଟା ୩୦ ମଧ୍ୟରେ ବିଜେପିର ୨ଶହରୁ ଅଧିକ ପ୍ରମୁଖ ନେତାଙ୍କ ସହ ରୁଦ୍ଧଦ୍ୱାର ବୈଠକ କରିବେ । ତେବେ ଏହି ବୈଠକରେ ବିଜେପିର ସବୁ ବିଧାୟକ, ସବୁ ସାଂସଦ, ବିଧାୟକ, ସାଂସଦ ପ୍ରାର୍ଥୀ, ଜିଲ୍ଲା ସଭାପତି, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଓ ଉପାଧ୍ୟକ୍ଷ ଉପସ୍ଥିତ ରହିବେ । ବୈଠକରେ ସାଂଗଠନିକ ସ୍ଥିତି ଓ ଆଗାମୀ ଦିନର ରଣନୀତି ଉପରେ ଆଲୋଚନା କରାଯାଇପାରେ ବୋଲି ସୂଚନା ମିଳଛି । ଅନ୍ୟପଟେ ଆସନ୍ତାକାଲି ମହାପ୍ରଭୁ ଜଗ୍ନନାଥ ଓ ବାବା ଲିଙ୍ଗରାଜଙ୍କୁ ଦର୍ଶନ କରିବା ପରେ ଦିଲ୍ଲୀ ଫେରିଯିବାର କାର୍ଯ୍ୟକ୍ରମ ରହିଛି ।