ଜୟପୁର (ଏଟିଆର ବ୍ୟୁରୋ); ଝିଅ ବାହାଘର କରିବା ପାଇଁ ବାପା ମାମାନେ ବହୁ ଦିନ ପୂର୍ବରୁ ସମସ୍ତ ସାମଗ୍ରୀ କିଣି ରଖିଥାନ୍ତି । ତେବେ ଯଦି ଏହି ଟଙ୍କା ଏବଂ ଗହଣା ଯଦି ଚେରି ହୋଇ ଯାଏ ତେବେ କିଭଳି କଷ୍ଟ ହୁଏ ତାହା ହୃଦୟ ବିଦାରକ । ତେବେ ଏଭଳି ଏକ ହୃଦୟ ବିଦାରକ ଘଟଣା ଘଟିଛି ଜୟପୁର ସୁରିଙ୍ଗା ସାହିରେ । ସାହିରେ ରହୁଥିବା ଜଣେ ବିଧବା ମହିଳାଙ୍କ ଘରେ ପଶି ଦୁର୍ବୃତ୍ତମାନେ ଲୁଟି ନେଇଛନ୍ତି ସୁନା ଗହଣା । ବିଧବା ମହିଳା ଜଣକ ହେଲେ ପି.ସୁନୀତା । ଆସନ୍ତା ୨୪ ତାରିଖରେ ତାଙ୍କ ଝିଅର ବିବାହ ପାଇଁ ଆଗୁଆ କିଣିଥିବା ୪ ଭରି ସୁନା ଏବଂ ନଗଦ ପାଞ୍ଚ ହଜାର ଟଙ୍କା ଲୁଟି ନେଇଛନ୍ତି ଦୁର୍ବୃତ୍ତ ।
ସୁନିତାଙ୍କ ସ୍ୱାମୀ ଦୀର୍ଘ ଦିନ ହେବ ମରି ଯାଇଛନ୍ତି । ତେବେ ଝିଅ ବାହାଘର ପାଇଁ ବହୁ କଷ୍ଟରେ ରଖିଥିବା ଜିନିଷ ଚୋରୀ ହେବା ପରେ ଦୁଃଖରେ ଭାଙ୍ଗି ପଡିଛନ୍ତି ତାଙ୍କ ପରିବାର । ତେବେ ସେମାନେ ଶୋଇଥିବା ସମୟରେ ଘରେ ପଶି କଳାକନା ବୁଲାଇ ଲୁଟେରାମାନେ ନେଇଥିବା ପୋଲିସ ଆଗରେ ଅଭିଯୋଗ କରିଛନ୍ତି । ପୋଲିସ ଖବର ପାଇବା ପରେ ଆସି ଛାନଭିନ ଆରମ୍ଭ କରି ଦେଇଥିଲା । ତେବେ ପଡିଶା ଘରେ ଲାଗିଥିବା ସିସିଟିଭିକୁ ଯାଞ୍ଚ କରିଛି ପୋଲିସ । ଏଥିରେ ଲୁଟେରାର ମୁହଁ ଜଣା ପଡୁଥିଲେ ମଧ୍ୟ ତା ଠିକଣା ମିଳି ପାରିନାହିଁ । କିନ୍ତୁ ଯଥାଶିଘ୍ର ଲୁଟେରାକୁ ଧରିବା ପାଇଁ ପ୍ରତିଶ୍ରୃତି ଦେଇଛି ପୋଲିସ ।
ବାହାଘର ପାଇଁ ଆଉ ଅଳ୍ପଦିନ ଥିବାରୁ ଚିନ୍ତାରେ ଅଛନ୍ତି ସୁନିତା । ଏତିକି ଦିନ ମଧ୍ୟରେ ପୁଣି ଥରେ ସୁନା ଗହଣା କିଣିବା ତାଙ୍କ ପକ୍ଷେ ସମ୍ଭବପର ନୁହେଁ ବୋଲି ସେ ପ୍ରକାଶ କରିଛନ୍ତି । ତେବେ ପୋଲିସ ଉପରେ ଭରଷା ରଖିଛନ୍ତି ସେ । ସେପଟେ କେହି ଜଣା ଶୁଣା ଲୋକ ଏପରି କରିଥିବା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହେଉଛି । କାରଣ ବାହାଘର ହେବ ବୋଲି କେହି ଜାଣିବା ପରେ ଘର ଉପରେ ନଜର ପକାଇଛନ୍ତି । ଏବଂ ଚୋରି କରିବା ପାଇଁ ଉଦ୍ୟମ କରିଛନ୍ତି । ଏଣୁ ପୋଲିସ ମଧ୍ୟ ଯଥାଶିଘ୍ର ଦୁର୍ବୃତ୍ତ ଧରିବ ବୋଲି ଆଶା କରାଯାଇଛି ।