ପାରାଦ୍ୱୀପ (ଏଟିଆର ବ୍ୟୁରୋ); ହସିଲେ ସ୍ୱାସ୍ଥ୍ୟ ଭଲ ରହିଥାଏ । ଏବଂ ହସ ହେଉଛି ଖୁସିର ସଙ୍କେତ । ଏଣୁ ସମସ୍ତେ ହସିବା ପାଇଁ ଚେଷ୍ଟା କରିଥାନ୍ତି । ସାଧାରଣତଃ ମଜା ଜିନିଷ ଦେଖିଲେ ସମସ୍ତେ ଉପଭୋଗ କରି ହସି ଦେଇଥାନ୍ତି । କିନ୍ତୁ ଏହି ହସ ପାଇଁ ରକ୍ତ ବୁହାଇବା ପଡିବ ତାହ କେହି ବି ଭାବି ନଥିଲେ । କିନ୍ତୁ ଏହି ହସିବା ପାଇଁ ଛୁରାମାଡ ଖାଇବାକୁ ପଡିଛି । ବିଶ୍ୱାସ ନହେଲେ ବି କଥାଟି ସତ । ତେବେ ଏଭଳି ଅଭାବନୀୟ ଘଟଣା ଘଟିଛି ପାରାଦ୍ୱୀପ ଅଞ୍ଚଳରେ । ଜଣେ ଯୁବକଙ୍କୁ ଦେଖି ଚାରିଜଣ ସାଙ୍ଗ ହସିବାରୁ ଛୁରାମାଡ କରି ଫେରାର ହୋଇ ଯାଇଛି ଅଭିଯୁକ୍ତ । ପୋଲିସ ଖବର ପାଇବା ପରେ ଅଭିଯୁକ୍ତକୁ ଖୋଜୁଛି । ସେପଟେ ଗୁରୁତର ଆହତ ମାନଙ୍କୁ ପାରାଦ୍ୱୀପ ବନ୍ଦର ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ସୂଚନା ଯୋଗ୍ୟ, ପାରାଦ୍ୱୀପ ବନ୍ଦର କୂଳରେ ଜଣେ ଯୁବକ ବାଇକରେ ଷ୍ଟଣ୍ଡ କରୁଥିବା ବେଳେ ପଡି ଯାଇଥିଲେ । ଏହାକୁ ଦେଖି ବୁଲିବାକୁ ଆସିଥିବା ୪ ଜଣ ସାଙ୍ଗ ହସି ଦେଇଥିଲେ । ଯାହାକୁ ଯୁବକଙ୍କୁ ଖରାପ ଲାଗିଥିଲା । ତାଙ୍କ ମୁଣ୍ଡକୁ ପିତ ଚଢ଼ି ଯାଇଥିଲା । ଶେଷରେ ସେ ରାଗରେ ୪ଜଣ ସାଙ୍ଗଙ୍କ ପାଖକୁ ଆସି ଛୁରାମାଡ କରି ବାଇକ ନେଇ ଫେରାର ହୋଇ ଯାଇଥିଲେ । ଘଟଣାସ୍ଥଳରେ ଉପସ୍ଥିତ ଥିବା ଲୋକମାନେ ସେମାନଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଥିଲେ । ମେସାନେ ଏବେ ଗୁରୁତର ଅବସ୍ଥାରେ ପାରାଦ୍ୱୀପ ବନ୍ଦର ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।
ଏହି ଘଟଣା ସମ୍ପର୍କରେ ପୋଲିସ ଖବର ପାଇବା ପରେ ଛାନଭିନ ଆରମ୍ଭ କରିଛି । ତେବେ ଆକ୍ରମଣ କରିଥିବା ଯୁବକଙ୍କ ଠିକଣା ମିଳିପାରି ନାହିଁ । କିନ୍ତୁ ଯଥାଶିଘ୍ର ଅଭିଯୁକ୍ତକୁ ଗିରଫ କରାଯିବ ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି । ସେପଟେ ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ଦେଖା ଦେଇଛି । ପାରାଦ୍ୱୀପ ପୋଲିସ ଘଟଣାକୁ ଗୁରୁତ୍ୱର ସହ ନେଇ ତଦନ୍ତ ଆରମ୍ଭ କରିଛି ।