ମାଲକାନାଗିରି (ଏଟିଆର ବ୍ୟୁରୋ): ଗୁଣି ଗାରେଡିକୁ ସନ୍ଦେହ କରି ଜଣେ ବ୍ୟକ୍ତିଙ୍କୁ ପିଟି ପିଟି ଅତି ନିର୍ମମ ଭାବେ ହତ୍ୟା କରାଯାଇଛି । ମାଲକାନାଗିରି କାଲିମେଳା ଅଞ୍ଚଳରେ ଏଭଳି ହତ୍ୟାକାଣ୍ଡ ଘଟିଛି । ସୂଚନା ଅନୁସାରେ ପୋଟେରୁ ଫାଣ୍ଡି ଅଧୀନସ୍ଥ ଚିତ୍ରାଙ୍ଗପାଲୀ ପଞ୍ଚାୟତ ଅନ୍ତର୍ଗତ ଓରେଲଗୁଡା ଗ୍ରାମର ଜଣେ ବ୍ୟକ୍ତିଙ୍କୁ ଗୁଣି କରିଥିବା ସନ୍ଦେହରେ ହତ୍ୟା କରାଯାଇଛି । ଓରେଲଗୁଡା ଗ୍ରାମର ଦେବା ବାଂଜାମୀ ନାମକ ଜଣେ ବ୍ୟକ୍ତି କିଛି ଦିନ ହେବ ଅସୁସ୍ଥ ଥିଲେ । ଗତ ଦୁଇ ଦିନ ହେବ ତାଙ୍କ ଅବସ୍ଥା ଗୁରୁତର ହେବାରୁ ଦେବାଙ୍କୁ ମାଲକାନାଗିରି ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ଦେବାଙ୍କର ମୃତୁ ଘଟିଥିଲା ।
ତେବେ ଦେବାଙ୍କ ପରିବାର ଲୋକେ ଦେବାଙ୍କୁ ଗୁଣି କରି ହତ୍ୟା କରାଯାଇଥିବାର ସନ୍ଦେହ କରିଥିଲେ । ଆଉ ସନ୍ଦେହ ଘେରକୁ ଆସିଥିଲେ ସେହି ଗ୍ରାମରେ ରହୁଥିବା ଗୁଣିଆ ଜଗା କାସୀବ । ଏହା ପରେ ଦେବାଙ୍କ ପରିବାର ଲୋକ ଜଗାଙ୍କୁ ହତ୍ୟା କରିବାର ଯୋଜନା କରିଥିଲେ । ଯୋଜନା ମୁତାବକ ଦେବାଙ୍କ ସମ୍ପକୀୟ ଲୋକ ଜଗାଙ୍କ ଘରକୁ ଯାଇ ପାଟିତୁଣ୍ଡ ଆରମ୍ଭ କରିଥିଲେ । ଜଗା ଘରୁ ବାହାରକୁ ଆସିବା ମାତ୍ରେ ତାଙ୍କୁ ଘୋସାଡି ଆଣି ଗାଁ ଦାଣ୍ଡ ଉପରେ ଠେଙ୍ଗା, ବାଡିରେ ପିଟିପିଟି ଅତି ନିର୍ମମ ଭାବେ ହତ୍ୟା କରାଯାଇଥିଲା । ଜଗାଙ୍କ ପରିବାର ଲୋକ ଏନେଇ କାଲିମେଲା ଥାନାରେ ଅଭିଯୋଗ କରିବା ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଅଭିଯୋଗ ଅନୁସାରେ ଦେବାଙ୍କ ବାପା ଉଂଗା ବାଂଜାମୀ, ପୁଅ ଇମାର୍ ବାଂଜାମୀ ସହ ଅନ୍ୟ ଗ୍ରାମବାସୀ ଘଟଣାରେ ସଂମ୍ପୃକ୍ତି ଥିବାର ଜଣାପଡିଛି । ଘଟଣାଟି ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି ।