ମୟୂରଭଞ୍ଜ (ଏଟିଆର ବ୍ୟୁରୋ); ଜଙ୍ଗଲରୁ ଉଦ୍ଧାର ହେଲା ନବଜାତ ଶିଶୁପୁତ୍ର । ମୟୂରଭଞ୍ଜ ଜିଲ୍ଲା ବେତନଟୀ ବ୍ଳକର ନାହାଶୋଳ ଜଙ୍ଗଲରୁ ଉଦ୍ଧାର କରାଯାଇଛି । ଶିଶୁକୁ ଉଦ୍ଧାର କରିବା ପରେ ସ୍ୱାସ୍ଥ୍ୟ ସେବା ପାଇଁ ବାରିପଦା ମେଡିକାଲରେ ଭର୍ତ୍ତି କରାଯାଇଛି । ଏବେ ଶିଶୁଟି ଏସଏନସିୟୁରେ ରହିଛି । ଶିଶୁଟିର ଓଜନ ୨କିଲୋ ୧୦୦ ଗ୍ରାମ ରହିଛି । ଏହି ଘଟଣାକୁ ନେଇ ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହେଉଛି ।
ଶନିବାର ସକାଳେ ସ୍ଥାନୀୟ ଲୋକ ଜଙ୍ଗଲକୁ ଯାଇଥିବା ବେଳେ ଶିଶୁର କାନ୍ଦ ଶୁଣିଥିଲେ । ଏହାପରେ ସେମାନେ ନବଜାତ ଶିଶୁଟିକୁ ଉଦ୍ଧାର କରିଥିଲେ । ଗାଁକୁ ଛୁଆକୁ ଆଣିବା ପରେ ଆଶା କର୍ମୀ ଏବଂ ଅଙ୍ଗୱାଡି ଦିଦିଙ୍କ ଡକାଇ ଛୁଆର ପ୍ରାଥମିକ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ । ତେବେ ନବଜାତ ଛୁଆ ହୋଇଥିବାରୁ ଅଧିକ ସ୍ୱାସ୍ଥ୍ୟ ସେବା ପାଇଁ ମେଡିକାଲରେ ଭର୍ତ୍ତି କରାଯାଇଥିଲା ।
ପୁତ୍ର ସନ୍ତାନ ହୋଇ ମଧ୍ୟ କିଏ ଏବଂ କାହିଁକି ଏପରି କରିଛି ତାହା ଜଣା ପଡିନାହିଁ । ତେବେ ଏହି କଥାକୁ ନେଇ ବିଭିନ୍ନ ପ୍ରକାର କଥା ଉଠୁଛି । କୌଣସି ଯୁବତୀ କୁଆଁରୀ ଅବସ୍ଥାରେ ମା ହୋଇଥିବା ଫଳରେ ଛୁଆକୁ ଛାଡି ପଳାଇଥିବ ବୋଲି ଲୋକମାନେ ଟୁପୁରୁ ଟାପୁରୁ ହେଉଛନ୍ତି । ତେବେ କଥାଟି କେତେ ସତ ତାହା ଜଣା ପଡିନାହିଁ ।