ଭୁବନେଶ୍ୱର,(ଏଟିଆରବ୍ୟୁରୋ): ନିହାରିକା ହତ୍ୟା ଘଟଣାରେ ସାମ୍ନାକୁ ଆସିଲା ସାଂଘାତିକ ସତ । କଟକରେ ହିଁ ହତ୍ୟା କରାଯାଇଛି ନିହାରିକାକୁ । ପ୍ରମାଣ ଲୁଚାଇବାକୁ କେବଳ ମୃତଦେହକୁ ଅଖାରେ ଭର୍ତ୍ତି କରି ବିଲୁଆଖାଈ ନଦୀ ପଠାରେ ଫିଙ୍ଗି ଦିଆଯାଇଥିଲା । ସବୁଠୁ ବଡ଼ କଥା ହେଉଛି ନିହାରିକାଙ୍କୁ ହତ୍ୟା ପରେ ଅଖାରେ ପୂରାଇ ମୃତଦେହ ବାଇକ୍ରେ ନେବା ବେଳେ ସିସିଟିଭିରେ ସମସ୍ତ ଦୃଶ୍ୟ କଏଦ ହୋଇଛି । ଆଉ ସେହି ସିସିଟିଭି ଫୁଟେଜ୍ ଏବେ ପୁଲିସ ହାତରେ ଲାଗିଛି । ତେଣୁ ଖୁବ୍ ଶୀଘ୍ର ଏହି ଘଟଣାର ଆଉ ଏକ ଫର୍ଦ୍ଦ ସହ ନିହାରିକା ମର୍ଡର ମିଷ୍ଟ୍ରି ଉପରୁ ପରଦା ହଟିବ ବୋଲି ସୂଚନା ଦେଇଛନ୍ତି ପୁଲିସ ଡିଜି ବିଜୟ କୁମାର ଶର୍ମା । ଗତକାଲି ନିହାରିକାଙ୍କ ପୁରୁଷ ବନ୍ଧୁ ‘ରାଜା’ ଧରାପଡିବା ପରେ ଏବେ ଏଭଳି ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି । ହେଲେ ରାଜା ହତ୍ୟାକାରୀ ନା’ ନାହିଁ ତାହା ଏପର୍ଯ୍ୟନ୍ତ ଜଣାପଡିନାହିଁ । ରାଜାକୁ ଏକ ଅଜ୍ଞାତ ସ୍ଥାନରେ ରଖି ଏବେ ବି ମାରାଥନ ଜେରା କରୁଛି ପୁଲିସ । ଆଶା, ରାଜା ପାଖରୁ ଏମିତି କିଛି ଠୋସ ପ୍ରମାଣ ମିଳିବ ଯାହା ପୂରା ଘଟଣା ଉପରୁ ପରଦା ହଟାଇବ ।
ଗତ ୮ ତାରିଖରୁ ନିଖୋଜ ଥିଲେ ନିହାରିକା । ଏନେଇ ପରିବାର ଲୋକ କଟକ ମଧୁପାଟଣା ଥାନାରେ ଅଭିଯୋଗ କରିଥିଲେ । ପରେ ଗତ ୧୭ ତାରିଖରେ ଜଗତସିଂହପୁର ବିଲୁଆଖାଇ ନଦୀ ପଠାରୁ ମିଳିଥିଲା ନିହାରିକାଙ୍କ ମୃତଦେହ । ପୁଲିସ ହତ୍ୟାକାଣ୍ଡ ନେଇ ଛାନଭିନ କରିବା ପରେ ରାଜାର ନାଁ ସାମ୍ନାକୁ ଆସିଲା । ହତ୍ୟା ପଛରେ ରାଜାର ହାତ ଥିବା ସନ୍ଦେହ କରି ପୁଲିସ ଖୋଳତାଡ କରିଥିଲା । ରାଜା ଫେରାର ଥିବା ବେଳେ ତାଙ୍କ ବାପା, ଭାଇ ଓ ୪ ଜଣଙ୍କୁ ଅଟକ ରଖିଥିଲା ପୁଲିସ । ଏହା ପରେ ଗତକାଲି ବିରିଡି ଥାନାରେ ପହଚିଂଥିଲା ରାଜା ।