ଜଗତସିଂହପୁର (ଏଟିଆର ବ୍ୟୁରୋ); ପୁଣିଥରେ ଖାକିର ଜୁଲୁମ୍ । ପୋଲିସଗିରି ଦେଖାଇ ଯୁବକଙ୍କୁ ମାଡ ମାରିଲେ ପୋଲିସବାବୁ । ଯୁବକଙ୍କୁ ନୃଂଶସ ଭାବରେ କାଠଫାଳିଆରେ ମାଡ ମାରି ଆହତ କରିଥିବା ଅଭିଯୋଗ ହୋଇଛି । ଜଗତସିଂହପୁର ଜିଲ୍ଲା ବିରିଡି ବ୍ଳକରେ ରିଲିଫ ବଣ୍ଟା ହେଉଥିବା ବେଳେ ପୋଲିସର ଏଭଳି ଦବଙ୍ଗଗିରି ଦେଖିବା ପାଇଁ ମିଳିଥିଲା । ଗୁରୁତର ଆହତ ହେଲେ ପ୍ରମୋଦ ମୁଦୁଲି । ତାଙ୍କ ଅବସ୍ଥା ସଙ୍କଟାପର୍ଣ୍ଣ ଥିବାରୁ ସେ କଟକ ବଡ ମେଡିକାଲରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଯାଇଛି । ଅଭିଯୁକ୍ତ ପୋଲିସବାବୁଙ୍କ ଗିରଫଦାରି କରିବା ଦାବିରେ ବ୍ଳକ ଘେରାଉ କରିଥିଲେ ଉତ୍ୟକ୍ତ ଲୋକ । ବରିଷ୍ଟ ପୋଲିସ ଅଧିକାରୀ ଆସି ବୁଝାଶୁଝା କରିବା ପରେ ଶାନ୍ତ ହୋଇଥିଲେ ଲୋକ ।
‘ଫୋନି’ରେ ପ୍ରଭାବିତ ହୋଇଥିବା ଲୋକଙ୍କୁ ସରକାରଙ୍କ ପକ୍ଷରୁ ପାଲ,ଟଙ୍କା ଏବଂ ଚାଉଳ ଯୋଗାଯାଉଛି । ତେବେ ଏହି ରିଲିଫ ବଣ୍ଟା ହେଉଥିବା ବେଳେ ପ୍ରମୋଦଙ୍କୁ ପଲିଥିନ ନମିଳିବାରୁ ସେ ତହସିଲ ଅଫିସ ସମ୍ମୁଖରେ ପାଟିତୁଣ୍ଡ କରିଥିଲେ । ତେବେ ଏଥିରେ ରାଗିଯାଇ ସୁରକ୍ଷା ଦାୟିତ୍ୱଥିବା ପୋଲିସବାବୁଙ୍କ ମୁଣ୍ଡରେ ପିତ ଚଢ଼ିଯାଇଥିଲା । ସେ ଏକ କାଠଫାଳିଆରେ ପ୍ରମୋଦଙ୍କୁ ବାଡେଇଥିଲେ ।
ସୁରକ୍ଷାକର୍ମୀଙ୍କ ମାଡରେ ବେହୋସ ହୋଇଯାଇଥିଲେ ପ୍ରମୋଦ । ତାଙ୍କୁ ଉପସ୍ଥିତ ଥିବା ଲୋକ ଉଦ୍ଧାର ପ୍ରଥମେ ବିରିଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ପରେ ଅବସ୍ଥା ସଙ୍କଟାପର୍ଣ୍ଣ ହେବାରୁ ତାଙ୍କୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି । ପୋଲିସର ଏଭଳି ଅଭଦ୍ରାମି ବ୍ୟବହାର ସାଙ୍ଗକୁ ମାଡ ପାଇଁ ବିଭିନ୍ନ ମହଲରେ ନିନ୍ଦା କରାଯାଇଛି । ତେବେ ଏହି ଘଟଣା ପ୍ରଥମ ନୁହେଁ ପୂର୍ବରୁ ଏଭଳି ବହୁ ପୋଲିସବାବୁ ଖାକିର ଅପବ୍ୟବହାର କରିଥିବା ନଜିର ରହିଛି । କେବେ ଥାନାରେ ମଦପିଇ ଆଇନ ପାଠ ପଢ଼ାଇଛନ୍ତି ତ ଆଉ କେବେ ଗରୀବ ଲୋକ ଉପରେ ମାଡ ମାରିଛନ୍ତି ପୋଲିସବାବୁ । ତେବେ ଏଭଳି ପୋଲିସବାବୁଙ୍କ ଅଭଦ୍ରାମିକୁ ସବୁବେଳେ ଏଟିଆର ନ୍ୟୁଜ୍ ପ୍ରସାରଣ କରିଆସିଛି ।