ଭୁବନେଶ୍ୱର,(ଏଟିଆର ବ୍ୟୁରୋ): ଜାରି ରହିଛି ଏସଟିଏଫର ଅପରେସନ । ବଜ୍ରକାପ୍ତା ଚାଲାଣ ରାକେଟରେ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ଗୋଡାଇ ଗୋଡାଇ ଗିରଫ କରୁଛି ଏସଟିଏଫ । ଆଜି ପୁଣି ଜଣେ ଅଭିଯୁକ୍ତକୁ କାବୁ କରାଯାଇଛି । ତା’ ନା ମହମ୍ମଦ ଜାମସେନ, ଘର ବ୍ରହ୍ମପୁର ଜିଲ୍ଲା ଖାଜାଷ୍ଟ୍ରିଟ ଅଞ୍ଚଳରେ ବୋଲି ସୂଚନା ମିଳିଛି । ପୂର୍ବରୁ ଏହି ଘଟଣାରେ ୬ଜଣଙ୍କୁ ଗିରଫ କରାଯାଇଛି ।
ତେବେ ସେମାନଙ୍କ ମଧ୍ୟରୁ ଇଣ୍ଟରନ୍ୟାସନାଲ ଗ୍ୟାଙ୍ଗର ଅମିର ହୁସେନ ଲସ୍କର ଗିରଫ ହେବା ପରେ ଏବେ ଘଟଣାର ଚେର ପାଖରେ ପହଞ୍ଚିଛି ଏସଟିଏଫ । ଖୋଳତାଡରେ ଏକ ବଡ଼ ଗ୍ୟାଙ୍ଗ ଏହାକୁ ଅପରେଟ କରୁଥିବା ଏସଟିଏଫ ଜାଣିବାକୁ ପାଇଛି । ମୁଖ୍ୟତଃ କଳାହାଣ୍ଡି, କନ୍ଧମାଳ ଓ ବୋ÷ଦ୍ଧ ଆଦି ଇଲାକାରୁ ଏହି ବଜ୍ରକାପ୍ତାକୁ ସଂଗ୍ରହ କରାଯାଏ । ପରେ ଟ୍ରେନ ନଚେତ ଟ୍ରକ ମାଧ୍ୟମରେ ଏହାକୁ ଗୌହାଟିକୁ ଚାଲାଣ କରାଯାଏ ।
ସେଠାରୁ ସିଲଚର, ସିଲଙ୍ଗ ଓ ଆଇଜୁଆଲକୁ ଏହା ସ୍ଥାନାନ୍ତରିତ ହୁଏ ବୋଲି ଏସଟିଏଫ ଆଗରେ ମୁହଁ ଖୋଲିଛି ଗ୍ୟାଙ୍ଗର ମୁଖ୍ୟ ଅମିର ହୁସେନ । ସେ ଏହାମଧ୍ୟ କହିଛି ଖୋର୍ଦ୍ଧା ଓ ବ୍ରହ୍ମପୁରରେ ଏହି ରାକେଟ ସକ୍ରୀୟ ରହିଥିବା ବେଳେ ସେଠାରୁ ହିଁ ବଜ୍ରକାପ୍ତା ସଂଗ୍ରହ କରାଯାଉଥିଲା । ତେବେ ଆଜି ଏସଟିଏଫ କବଜାକୁ ଆସିଥିବା ମହମ୍ମଦ ଜାମସେଦକୁ ଗିରଫ କରିଛନ୍ତି ଡେପୁଟି ଏସପି ବିଳାଶିନୀ ନାୟକ । ରିପୋର୍ଟ କହୁଛି ବଜ୍ରକାପ୍ତା ଚମଡାରେ ରହିଛି ଔଷଧିୟ ଗୁଣ । ଯାହା ଚାଇନାରେ ଜବରଦସ୍ତ ବ୍ୟବହାର କରାଯାଏ । ଖାସ ଏଥିପାଇଁ ଏହି ରାକେଟ କାମ କରେ । ଚାଇନାକୁ ବଜ୍ରକାପ୍ତା ଚାଲାଣ କରି ମୋଟା ଅଙ୍କର ମାଲ କମାନ୍ତି ଦଲାଲମାନେ । ତେବେ ବଜ୍ରକାପ୍ତା ଶିକାରକୁ ସବୁ ସ୍ତରରେ ବେଆଇନ ଦର୍ଶାଯାଇଛି । ସୂଚନାଯୋଗ୍ୟ, ପୂର୍ବରୁ ଗିରଫ ହୋଇଥିବା ଅଭିଯୁକ୍ତମାନେ ହେଲେ ଲାଲଟେନ କୁଙ୍ଗା, ସାମସୁଦ୍ଦିନ ଖାନ, ଆଲାରଖା ଖାନ, ମହମ୍ମଦ ରିଆଜ, ରବାନି ଖାନ ଓ ଅମିର ହୁସେନ ଲସ୍କର ।