ଭୁବନେଶ୍ୱର,(ଏଟିଆର ବ୍ୟୁରୋ): ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ଘଟଣାରେ ପୁଲିସ ତଦନ୍ତକୁ ଆଉ ଟିକେ ଆଗେଇଛି । ୫ ଦିନ ଖୋଳତାଡ଼ ପରେ ମୃତ ଶେଖରଙ୍କ ଜବତ ଲ୍ୟାପଟପ ଓ ମୋବାଇଲ ଡାଟା ରିକଭରି କରିବାରେ ସଫଳ ହୋଇଛି । ଏହା ବ୍ୟତୀତ ଅଧିକ ତଥ୍ୟ ପାଇବା ଆଶାରେ ହାଇଦ୍ରାବାଦ ସେଣ୍ଟ୍ରାଲ ଫୋରେନ୍ସିକ ଲ୍ୟାବକୁ ମଧ୍ୟ ଜବତ ଲ୍ୟାପଟପ ପଠାଯାଇଥିବା ସୂଚନା ମିଳିଛି । ତେବେ ଡାଟା ରିକଭରି ପରେ ସେଥିରୁ କିଛି ସୁରାକ ମିଳିଥିବା ଜଣାପଡିଛି । ସେପଟେ ରାଜ୍ୟ ଓ ରାଜ୍ୟ ବାହାରେ ଛାନଭିନ ପରେ ଘଟଣା ପଛର ମୋଟିଭ ଜାଣିବାକୁ ପୁଲିସ ସଫଳ ହୋଇଥିବା କଥା ମଧ୍ୟ ଜଣାପଡିଛି ।
ରାଜ୍ୟରେ ୩ଟି ସ୍ଥାନ ସହ ଚଣ୍ଡିଗଡ଼, ମହିଶୂର ଓ ବାଙ୍ଗାଲୋରକୁ ମିଶାଇ ୧୦ ଟି ସ୍ଥାନରେ ଖୋଳତାଡ ହୋଇଥିଳା । ସେଠାରୁ ଯେଉଁ ସୁରାକ ମିଳିଛି ଲ୍ୟାପଟପ ଡାଟାରୁ ଯଦି ସେ ସମସ୍ତ ତଥ୍ୟର ଲିଙ୍କ ମିଳେ ତେବେ ଅଭିଯୁକ୍ତ ପାଖରେ ପହଞ୍ଚିବା ବେଶି ଡେରି ହେବ ନାହିଁ ବୋଲି ଜଣେ ବରିଷ୍ଠ ପୁଲିସ ଅଧିକାରୀ ସୂଚନା ଦେଇଛନ୍ତି ।
ବାଙ୍ଗାଲୋରରେ ତଦନ୍ତକାରୀ ଟିମ୍ ୮ ଜଣଙ୍କ ଫୋନ ଯାଞ୍ଚ କରିବା ସହ ବାଙ୍ଗାଲୋରରେ ଶେଖର ରହୁଥିବା ରୁମ ଓ ତାଙ୍କ ଘନିଷ୍ଠ ବନ୍ଧୁଙ୍କୁ ମିଶାଇ ଶେଖରଙ୍କ ଲିଙ୍କରେ ରହିଥିବା ମୋଟ ୧୨ ଜଣଙ୍କୁ ପଚରାଉଚରା କରାଯାଇଛି । ତେବେ ଏହାରି ଭିତରେ ଶେଖରଙ୍କ ପରିବାର ଲୋକେ ଅନେକ କଥା କହିନଥିବା ପୁଲିସ ତଦନ୍ତ ବେଳେ ଜାଣିବାକୁ ପାଇଛି । ତେଣୁ ତଦନ୍ତ ବିଳମ୍ବ ହେଉଥିବା ପୁଲିସ କହିଛି ।