ଭୁବନେଶ୍ୱର,(ଏଟିଆର ବ୍ୟୁରୋ): ଏଣିକି ଆଉ ବଲାଙ୍ଗିର ପୁଲିସ ନୁହେଁ ପାର୍ସଲ ବୋମା ବିସ୍ଫୋରଣ ଘଟଣାର ତଦନ୍ତ କରିବ କ୍ରାଇମବ୍ରାଞ୍ଚ । ପୁଲିସ ମୁଖ୍ୟାଳୟରୁ ଏହି ସୂଚନା ମିଳିଛି । ୨୫ ଦିନ ବିତିଗଲା, ହେଲେ ବଲାଙ୍ଗିର ପୁଲିସ ନା’ ଘଟଣା ପଛର ମାଷ୍ଟରମାଇଣ୍ଡକୁ ଧରି ପାରିଲା ନା’ ପୂରା ଘଟଣା ପଛର ମୋଟିଭ ଜାଣିବାକୁ ସକ୍ଷମ ହେଲା । କହିବାକୁ ଗଲେ ଏକପ୍ରକାର ଫେଲ ମାରିଲା ପୁଲିସ । ଗତ ୧୫ ଦିନରୁ ଅଧିକ ହେଲାଣି ଏବେ ମଧ୍ୟ ୨ଟି ଟିମ ଓଡ଼ିଶା ବାହାରେ ରହି ତନାଘନା କରୁଛନ୍ତି ।
ଏକକାଳୀନ ୪ଟି ଟିମ ଘଟଣାର ତଦନ୍ତ କରୁଛନ୍ତି । କିନ୍ତୁ କୌଣସି ଟିମକୁ ସେମିତି କିଛି ଠୋସ ପ୍ରମାଣ ମିଳିନାହିଁ ।
ମୃତ ସୌମ୍ୟ ଶେଖରଙ୍କ ପରିବାର ପୁଲିସ ତଦନ୍ତରେ ତୀବ୍ର ଅସନ୍ତୋଷ ପ୍ରକାଶ କରିବା ଓ ସ୍ଥାନୀୟ ଲୋକଙ୍କ ମଧ୍ୟରେ ପ୍ରତିକ୍ରିୟା ପ୍ରକାଶ ପାଇବା ପରେ ତଦନ୍ତ ଭାର ଏବେ କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର ପାଇଁ ନିଷ୍ପତି ନିଆଯାଇଥିବା ସୂଚନା ମିଳିଛି । ଏ ନେଇ ବଲାଙ୍ଗୀର ଜିଲ୍ଲା ପୁଲିସକୁ ମଧ୍ୟ ଅବଗତ କରାଯାଇଛି । ବଲାଙ୍ଗୀର ଏସପିଙ୍କ ଠାରୁ ତଦନ୍ତ ସମ୍ପର୍କିତ ସମସ୍ତ ସୂଚନା ମିଳିବା ପରେ କ୍ରାଇମବ୍ରାଞ୍ଚ ତଦନ୍ତ ଭାର ଗ୍ରହଣ କରିବ ।
ତେବେ ବଲାଙ୍ଗୀର ଅତିରିକ୍ତ ଏସପି ଶଶିଭୂଷଣ ଶତପଥୀ କହିଛନ୍ତି ଯେ, ‘ଘଟଣା ପରଠାରୁ ତଦନ୍ତ ପ୍ରକ୍ରିୟାରେ ଆମେ କୌଣସି ଦିଗକୁ ଛାଡ଼ିନାହୁଁ । କିନ୍ତୁ ଅଭିଯୁକ୍ତ ଯେଭଳି ଭାବେ ଏହି ଅପରାଧ ଘଟାଇଛି ତାହା ବହୁ ବିରଳ । ନିଶ୍ଚିତ ଭାବରେ ଏହା ସମୟ ସାପେକ୍ଷ’ । ତେବେ ଯାହା ସୂଚନା ମିଳିଛି ପୁଲିସ ସୌମ୍ୟଙ୍କ ଗୋଟିଏ ଲ୍ୟାପଟପରୁ ଡାଟା ରିକଭରି କରିବା ପରେ ବନ୍ଦ କରି ଦିଆଯାଇଥିବା ତାଙ୍କ ଫେସବୁକ ଆକାଉଣ୍ଟ ଖୋଲିବାକୁ ଉଦ୍ୟମ ଚାଲିଛି । ହ୍ୱାଟସଆପ ଓ ଇନଷ୍ଟାଗ୍ରାମରୁ ଡାଟା ରିକଭରି କରିବାକୁ କେନ୍ଦ୍ରୀୟ ଫରେନ୍ସିକ ଲ୍ୟାବର ସହଯୋଗ ଲୋଡ଼ାଯାଇଛି ।