ଯାଜପୁର (ଏଟିଆର ବ୍ୟୁରୋ); ଆଜି ରାଜ୍ୟରେ ଶେଷ ପର୍ଯ୍ୟାୟ ମତଦାନ । ୬ ଲୋକସଭା ଏବଂ ୪୧ ବିଧାନସଭା ପାଇଁ ଚାଲିଛି ମତଦାନ । ତେବେ ଭୋଟରଙ୍କୁ ପ୍ରଲୋଭିତ କରି ଏକ ନିଦ୍ଧିଷ୍ଟ ରାଜନୈତିକ ଦଳକୁ ଭୋଟ ଦେବା ପାଇଁ କହୁଥିବା ତିନିଜଣ ପୁଲିଂ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଛି । ତେବେ ଏଭଳି ଘଟଣା ଘଟିଛି ଯାଜପୁର ଜିଲ୍ଲାରେ । ଏମାନଙ୍କୁ ନିଲମ୍ବନ କରିବା ପାଇଁ ଯାଜପୁର ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ ।
ଯାଜପୁର ଜିଲ୍ଲା ବିଞ୍ଝାରପୁରର ବୁଥ୍ ନମ୍ବର ୧୩୫ର ପ୍ରିଜାଇଡିଙ୍ଗ୍ ଅଫିସର୍ ଧୀରେନ୍ଦ୍ର ତ୍ରିପାଠୀ, ୧୯୧ ନମ୍ବର ବୁଥ୍ର ବୈକୁଣ୍ଠ ମଲ୍ଲିକ, ସୁକିନ୍ଦାର ୧୯୬ ନମ୍ବର ବୁଥ୍ର ୪ର୍ଥ ପୋଲିଙ୍ଗ୍ ଅଫିସର୍ ଜନାର୍ଦ୍ଦନ ପୃଷ୍ଟି ଭୋଟର୍ମାନଙ୍କୁ ପ୍ରଭାବିତ କରୁଥିବା କଥା ସିସିଟିଭିରେ ଦେଖାଯାଇଥିଲା। ସେମାନେ ନିର୍ଦ୍ଦିଷ୍ଟ ଦଳକୁ ଭୋଟ ଦେବାକୁ ଭୋଟରଙ୍କୁ କହୁଥିବା ଜଣାପଡ଼ିବା ପରେ ଏହି ନିଷ୍ପତ୍ତି ନିଆଯାଇଛି। ୧୯୧ ନମ୍ବର ବୁଥ୍ର ବୈକୁଣ୍ଠ ମଲ୍ଲିକଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆସିବାରୁ ତାଙ୍କୁ ଗିରଫ କରିବା ନିମନ୍ତେ ଯାଜପୁର ଜିଲ୍ଲାପାଳ ନିର୍ଦେଶ ଦେଇଛନ୍ତି। ତେବେ ଏହି ପ୍ରିଜାଇଡ଼ିଙ୍ଗ ଅଫିସର ଭୋଟରଙ୍କୁ ପ୍ରଭାବିତ କରୁଥିବା ଅଭିଯୋଗରେ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇଥିଲା ।