ଭୁବନେଶ୍ୱର(ଏଟିଆର ବ୍ୟୁରୋ): ଜଣେ କଲେଜ ଛତ୍ରୀଙ୍କୁ ଅପହରଣ କରି ୭ଦିନ ଧରି ଦୁଷ୍କର୍ମ କରାଯାଇଥିବାର ଅଭିଯୋଗ ହୋଇଛି । ସୂଚନା ଅନୁସାରେ ଗତ ୩୦ ତାରିଖ ଦିନ ଛାତ୍ରୀ ଜଣଙ୍କ ବିଶ୍ୱବିଦ୍ୟାଳୟରୁ ଘରକୁ ଫେରିଲା ବେଳେ ତାଙ୍କୁ ଚାକିରି କରାଇ ଦେବାର ପ୍ରଲୋଭନ ଦେଖାଇ ଅପହରଣ କରିନେଇଥିଲେ ଅକ୍ଷୟ ଦାସ ନାମକ ଜଣେ ଯୁବକ । ଅକ୍ଷୟଙ୍କ ଘର ଖୋର୍ଦ୍ଧା ଅଞ୍ଚଳରେ ବୋଲି ଜଣା ପଡିଛି । ବିଳମ୍ବିତ ରାତି ଯାଏଁ ଝିଅ ଘରକୁ ନଫେରିବାରୁ ଛାତ୍ରୀଙ୍କ ବାପା ଶହିଦ ନଗର ଥାନାରେ ଅଭିଯୋଗ କରିଥିଲେ । ପୋଲିସ ଏକ ମାମଲା ରୁଜୁ କରି ଛାତ୍ରୀଙ୍କୁ ଖୋଜିବା ଆରମ୍ଭ କରିଥିଲା । ତେବେ ଖଣ୍ଡଗିରି ପାଖରେ ଥିବା ଏକ ବସ୍ତିରେ ଛାତ୍ରୀ ଜଣଙ୍କ ଥିବା ପୋଲିସ ଖବର ପାଇଥିଲା ।
ପୋଲିସ ସେଠାରେ ଚଢାଉ କରି ଛାତ୍ରୀଙ୍କୁ ଉଦ୍ଧାର କରିବା ସହ ଅଭିଯୁକ୍ତ ଅକ୍ଷୟ ଦାସଙ୍କୁ ଗିରଫ କରିଛି । ଛାତ୍ରୀଙ୍କ କହିବା ଅନୁସାରେ ଛାତ୍ରୀ ଜଣକ ଅକ୍ଷୟଙ୍କ ସହ ଏକ ନିଯୁକ୍ତି ମେଳାରେ ଭେଟ ହୋଇଥିଲେ । ସେଠାରେ ଅକ୍ଷୟ ତାଙ୍କୁ ଚାକିରୀ କରାଇ ଦେବେ ବୋଲି କହିଥିଲେ । ଗତ ୩୦ ତାରିଖ ଦିନ ଚାକିରୀ ହୋଇଯିବ କହି ଛାତ୍ରୀଙ୍କୁ ଗାଡି ମାଧ୍ୟମରେ ଗଞ୍ଜାମର ଏକ କମ୍ପାନୀରେ ସାକ୍ଷାତକାର ଅଛି କହି ଡାକି ନେଇଥିଲେ । ଗଞ୍ଜାମରେ ଏକ ହୋଟେଲ ଭିତରେ ଛତ୍ରୀଙ୍କୁ ବନ୍ଧୁକ ଦେଖାଇ ଦୁଷ୍କର୍ମ କରିଥିଲେ ଅକ୍ଷୟ । ଏହା ପରେ ଅକ୍ଷୟ ଛାତ୍ରୀଙ୍କୁ ପୁରୀ ନେଇଯାଇଥିଲେ । କାଳେ ବାଟରେ ଛାତ୍ରୀ ଜଣଙ୍କ ପାଟି କରିବେ ସେଥିପାଇଁ ଅକ୍ଷୟ ତାଙ୍କୁ ନିଶା ଦେଇ ବେହେସ କରିଦେଇଥିଲେ । ପୁରୀରେ ମଧ୍ୟ ଅନୁରୂପ ଭାବେ ଛାତ୍ରୀଙ୍କୁ ଦୁଷ୍କର୍ମ କରାଯାଇଥିଲା । ଅକ୍ଷୟ ଛାତ୍ରୀଙ୍କୁ ରାଜ୍ୟ ବାହାରକୁ ପଠାଇବାକୁ ଯୋଜନା ମଧ୍ୟ କରିଥିଲେ ।