ବୌଦ୍ଧ ( ଏଟିଆର ବ୍ୟୁରୋ) : ବାପାକୁ ମାରିଲା ପୁଅ! ଛୁରି ଭୁଷି ହତ୍ୟା କରିଥିବା ସନ୍ଦେହ କରୁଛି ପୁଲିସ । ଏମିତି ଏକ ଅଭାବନୀୟ ଘଟଣା ଘଟିଛି ବୌଦ୍ଧ ଥାନା ସରଣ୍ଡା ଥାନା ଅଞ୍ଚଳରେ । ମୃତ ବାପା ହେଉଛନ୍ତି ସଦାଶିବ ପାତ୍ର । ସୂଚନାଅନୁସାରେ ମୃତ ସଦାଶିବ ପାତ୍ର ହେଉଛନ୍ତି ଜଣେ ନିଶା ଖୋର ମଦ୍ୟପ ମଣିଷ । ପ୍ରତିଦିନ ନିଶା ଖାଇ ଆସି ଘରେ ସ୍ତ୍ରୀ ପିଲାଙ୍କୁ ମାର ପିଟ କରିବା ସହିତ ଗାଳି ଗୁଲଜ କରିବା ହେଉଛି ତାଙ୍କର ନିତିଦିନର କାମ । ମଦ ପିଇବାକୁ ସ୍ତ୍ରୀ ଓ ପୁଅକୁ ପ୍ରତିଦିନ ଟଙ୍କା ମାଗେ ।
ଅଭାବ ସଂସାର ହୋଇଥିବାରୁ ଘରେ ତାକୁ ଟଙ୍କା ନ ଦେବାରୁ ସେ ମାରପିଟ କରେ । ଗତକାଲି ମଧ୍ୟ ଅନୁରୂପ ଭାବେ ସଦାଶିବ ମଦ ପିଇ ଆସି ଘରେ ସ୍ତ୍ରୀ ଓ ପୁଅକୁ ମାରପିଟ କରିଥିଲା । ଏକ ଛୁରି ନେଇ ମା ଓ ପୁଅକୁ ମାରିବାକୁ ମଧ୍ୟ ଗୋଡାଇଥିଲା । ଏହି ସମୟରେ ତଳେ ପଡି ଯିବାରୁ ଛୁରିଟି ସଦାଶିବର ପେଟରେ ପଶି ତାର ମୃତ୍ୟୁ ହୋଇଥିବା ପୁଅ ଆଶିଷ ପାତ୍ର ଥାନାରେ ଅଭିଯୋଗ କରିଛି ।
ଘଟଣାକୁ ନେଇ ପୁଲିସ ପୁଅକୁ ଅଟକ ରଖିଛି । ତେବେ ପ୍ରକୃତରେ ପଡିଯିବାରୁ ଛୁରି ପେଟରେ ପଶି ସଦାଶିବର ମୃତ୍ୟୁ ହୋଇଛି କି ପୁଅ ବାପାକୁ ଛୁରି ଭୁଷି ହତ୍ୟା କରିଛି ତାହା ଏଯାବକ ସ୍ପଷ୍ଟ ହୋଇନାହିଁ । ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ବ୍ୟବଛେଦ ପାଇଁ ପଠାଇବା ସହିତ ତଦନ୍ତ ଆରମ୍ଭ କରିଛି ।