ଅନୁଗୁଳ(ଏଟିଆର ବ୍ୟୁରୋ): ନିଆଁ ଲାଗି ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ପାଉଁଶ ହୋଇଯାଇଛି । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଅନୁଗୁଳ ଜିଲ୍ଲା ମାଟିଆ ସାହି ପଞ୍ଚାୟତର ମଦନମୋହନ ପାଟଣା ସାହିରେ । ନିଆଁ ଲାଗିଯିବା ଫଳରେ ୪ ବଖରା ଘର ଜଳି ପାଉଁଶ ହୋଇଯାଇଛି । ସୂଚନା ଅନୁସାରେ ଉକ୍ତ ଗାଁର ସରୋଜ ବେହେରା ନାମକ ଜଣେ ବ୍ୟକ୍ତିଙ୍କ ଘରେ ରୋଷେଇ କରୁଥିବା ବେଳେ ତାଙ୍କ ଘରେ ନିଆଁ ଲାଗିଯାଇଥିଲା ।
ଏହା ପରେ ତାଙ୍କ ଘରକୁ ଲାଗି ଆଉ ତିନୋଟି ଘରେ ନିଆଁ ଲାଗିଯାଇଥିଲା । ଗ୍ରାମ ବାସୀ ମାନେ ନିଆଁ ଲିଭାଇବା ପାଇଁ ବହୁ ଚୋଷ୍ଟା କରାଥିଲେ ମଧ୍ୟ କୌଣସି ଫାଇଦା ହୋଇନଥିଲା । ପରେ ଦମକଳ ବାହିନୀ ଆସି ନିଆଁକୁ ଆୟତ୍ତ କରିଥିଲା । ହେଲେ ସେତେ ବେଳକୁ ଘରେ ଥିବା ଲକ୍ଷାଧିକ ଟଙ୍କାର ସମ୍ପତି ପୋଡି ପାଉଁଶ ହୋଇଯାଇଥିଲା । ତେବେ ଉକ୍ତ ଗାଁର ପଳଉ ବେହେରା, ବ୍ରଜବନ୍ଧୁ ବେହେରା, ହାଡ଼ିବନ୍ଧୁ ବେହେରାଙ୍କ ଘରେ ନିଆଁ ଲାଗିଯାଇଛି ।