ନୟାଗଡ (ଏଟିଆର ବ୍ୟୁରୋ); ଚୋର ଧରିବା ପାଇଁ ପୁଣି ଥରେ ବୁଲିଲା ଖଟ । ଚୋର ଧରିବା ପରେ କଙ୍ଗାରୁ କୋର୍ଟ ବସାଇ ଦଣ୍ଡ ଦେଇଛନ୍ତି ଲୋକ । ନୟାଗଡ ସଦର ଥାନା ଉଦୟପୁର ଗାଁରୁ ଆସିଛି ଏଭଳି ସଙ୍ଗୀନ ଅଭିଯୋଗ । କଙ୍ଗାରୁ କୋର୍ଟ ବସାଇ ଖଟ ବାଜିଥିବା ମହିଳାଙ୍କୁ ୧ ଲକ୍ଷ ୪୨ ହଜାର ଟଙ୍କା ଜୋରିମାନା ଦେବା ପାଇଁ କହିଥିଲେ ଗାଁଲୋକ । ମହିଳା ଚୋରି କରିନାହାଁନ୍ତି କାହିଁକି ପଇସା ଦେବି ବୋଲି କହିବାରୁ ଗାଁଲୋକ ତାଙ୍କୁ ନିସ୍ତୁକ ପିଟିଥିଲେ । ତେବେ ଏନେଇ ସଦର ଥାନାରେ ଅଭିଯୋଗ କରାଯାଇଥିଲେ ସୁଦ୍ଧା ପୋଲିସ କୌଣସି ପଦକ୍ଷେପ ନେଇନଥିବା ଶୁଣିବାକୁ ମିଳିଛି ।
ସୂଚନାଯୋଗ୍ୟ,ଉଦୟପୁର ଗାଁର ଜଣଙ୍କ ଘରୁ ସୁନା ଗହଣା ଚୋରି ହୋଇଥିଲା । ଚୋର ଧରିବା ପାଇଁ ଗାଁରେ ସଭା ବସାଇ ଖଟ ବୁଲା ହୋଇଥିଲା । ଗତ ୧୮ ଏବଂ ୧୯ରେ ବୁଲିଥିଲା ଖଟ । ଚୋରୀ ହୋଇଥିବା ବ୍ୟକ୍ତିଙ୍କ ଭାଉଜଙ୍କ ଦେହରେ ବାଜିଥିଲା ଖଟ । ଏଣୁ ଗ୍ରାମ ସଭାରେ ତାଙ୍କୁ ଚୋରଣୀ କହି ଏକ ଲକ୍ଷ ୪୨ ହଜାର ଟଙ୍କା ଜୋରିମାନା କରାଯାଇଥିଲା । ମହିଳା ଚୋରି କରି ନାହାଁନ୍ତି ବୋଲି ମାନିନଥିଲେ । ଗାଁଲୋକଙ୍କ ମୁଣ୍ଡକୁ ପିତ ଚଢ଼ି ଯାଇଥିଲା । ଖଟ ବାଜିଛି ମାନେ ତମେ ଚୋର ଏମିତି କହି ମହିଳାଙ୍କୁ ଗାଳି କରିବା ସହିତ ମାଡ ମାରିଥିବା ଅଭିଯୋଗ ହୋଇଛି ।
ସଦର ଥାନାରେ ଅଭିଯୋଗ କରିବା ପରେ ମଧ୍ୟ ପୋଲିସ କୌଣସି ପଦକ୍ଷେପ ନେଇନାହିଁ । ଏଣୁ ପୋଲିସର କାର୍ଯ୍ୟକୁ ନେଇ ଉଠିଛି ପ୍ରଶ୍ନବାଚୀ । ତେବେ ଏହା ପୂର୍ବରୁ ରଣପୁର ଅଞ୍ଚଳରେ ମଧ୍ୟ ଏଭଳି ଅନ୍ଧ ବିଶ୍ୱାସକୁ ବିଶ୍ୱାସ କରି ବୁଲିଥିଲା ଖଟ । ଗାଁର ଗୋଟିଏ ପରିବାରକୁ ମାଡ ମାରିଥିଲେ ଗାଁଲୋକ । ନୟାଗଡ ଖଣ୍ଡପଡା ସିଂହବାରୀରେ ମଧ୍ୟ କଙ୍ଗାରୁ କୋର୍ଟ ବସିଥିଲା । ଜଣେ ଆଇନଜୀବୀଙ୍କୁ ଗାଁରୁ ଅଟକ ରଖିଥିଲେ ଗ୍ରାମବାସୀ । ବାରମ୍ବାର ଖବର ପ୍ରସାରଣ କରୁଥିଲେ ମଧ୍ୟ ନୟାଗଡରୁ ଗୋଟିଏ ପରେ ଗୋଟିଏ ଏଭଳି କଙ୍ଗରୁ କୋର୍ଟ ଦୃଶ୍ୟ ନଜରକୁ ଆସୁଛି ।