ଭୁୁବନେଶ୍ୱର,(ଏଟିଆରବ୍ୟୁରୋ): ଧୀରେ ଧୀରେ ଫିଟୁଛି ଗୁମର । ମୃତ୍ୟୁର ଉପହାର ନେଇ ଆସିଥିବା ପାର୍ସଲ ବୋମା ବିସ୍ଫୋରଣ ଘଟଣାରେ ଏବେ ପୁଲିସ ସ୍କାନରକୁ ଆସିଛନ୍ତି ଜଣେ ସନ୍ଦିଗ୍ଧ ଯୁବତୀ । ଯିଏ କି ରଚିଛନ୍ତି ଏହି ଅମାନୁଷିକ କାଣ୍ଡ । ତେବେ ସିଏ ଏକା ନା’ ତାଙ୍କ ସହ ଆଉ କିଏ ଜଡ଼ିତ ରହିଛନ୍ତି ତାହା ଏଯାବତ ସ୍ପଷ୍ଟ ହୋଇନାହିଁ । ସେପଟେ ପୂରା ଘଟଣାର ଖିଅ ପାଇବାକୁ ତଦନ୍ତକୁ ଆହୁରି ଜୋରଦାର କରିଛି ପୁଲିସ ।
ସ୍କାନରକୁ ନେଇଛି ମୃତ ଶେଖରଙ୍କ ମୋବାଇଲ କଲ ଡିଟେଲ୍ସ । ପୂରା ୩ମାସର କଲ ରେକର୍ଡକୁ ଗୁଡାଇ ତୁଡାଇ ଘାଂଟିଛି । ଆଉ ଏହାପରେ ସନ୍ଦିଗ୍ଧ ଯୁବତୀଙ୍କ ସୂଚନା ମିଳିଥିବା ବିଶ୍ୱସ୍ତ ସୂତ୍ରରୁ ଜଣାପଡିଛି । କେବଳ ଏତିକି ନୁହେଁ, ଘଟଣାର ଖୋଳତାଡ୍ କରୁ କରୁ ପୁଲିସକୁ ଏମିତି ଏକ ସାଙ୍ଘାତିକ ତଥ୍ୟ ମିଳିଛି ।ଯେଉଁଥିରେ ପୁଲିସର ମୁଣ୍ଡର ଚକ୍କର ଖାଇଯାଇଛି । ବଢ଼ାଇ ଦେଇଛି ଚିନ୍ତା । ସିଧା କହିବାକୁ ଗଲେ ପାର୍ସଲରେ ଆସିଥିବା ବୋମା କିଛି ଏମିତି ସେମିତି ବୋମା ନଥିଲା ବୋଲି ପୁଲିସ ପୂରା ସ୍ପଷ୍ଟ ହୋଇଯାଇଛି । ଖାସ ଏଥିପାଇଁ ତ’ ତଦନ୍ତ ଲାଗି ଜିଲ୍ଲାସ୍ତରରେ ଗଠନ ହୋଇଛି ଦୁଇଟି ସ୍ୱତନ୍ତ୍ର ଟିମ୍ ।
ଗୋଟିଏ ଟିମ୍ ତଦନ୍ତ ପାଇଁ ରାୟପୁର ଯାଇଥିବା ଜଣାପଡ଼ିଛି । ଆଉ ଏପଟେ ପାର୍ସଲ ବୋମା ବିସ୍ଫୋରଣ ସମ୍ପର୍କରେ ଆଉ ଏକ ଟିମ୍ ଛାନଭିନ୍ ଚଳାଇଛି । ତେବେ ଛାନ୍ଭିନରେ ଯେଉଁ ସୁରାକ୍ ମିଳିଛି ତାହା ସମଗ୍ର ଘଟଣାକୁ ଭିନ୍ନ ମୋଡକୁ ଠେଲି ଦେଉଛି । ତଦନ୍ତକାରୀ ଟିମ୍ର ଏକ ବିଶ୍ୱସ୍ତସୂତ୍ରରୁ ଜଣାପଡିଛି, ବୋମାରେ ବ୍ୟବହୃତ ସାମଗ୍ରୀ ଯାଂଚ କରିବା ପରେ ପୁଲିସ୍ ହୋସ ଉଡିଯାଇଛି । ଏହା କୌଣସି ସାଧାରଣବର୍ଗର ବୋମା ନୁହେଁ । ବ୍ୟବହୃତ ତାର ଓ ଉଚ୍ଚକ୍ଷମତା ସମ୍ପନ୍ନ ସର୍କିଟ ସେଥିରେ ବ୍ୟବହାର ହୋଇଥିବା ପ୍ରାଥମିକ ତଦନ୍ତରୁ ପୁଲିସ ଜାଣିବାକୁ ପାଇଛି ।
ସବୁଠୁ ବଡ଼ କଥା ହେଉଛି ଏହି ବୋମାକୁ କେବଳ ନକ୍ସଲମାନେ ହିଁ ବ୍ୟବହାର କରୁଥିବା ଜଣେ ବରିଷ୍ଠ ଅଧିକାରୀ ନିଜ ନାମ ଗୋପନ ରଖିବା ସର୍ତରେ କହିଛନ୍ତି । ସିଧା କହିବାକୁ ଗଲେ ଏହା ସମ୍ପୂର୍ଣ୍ଣ ଭାବରେ ଥିଲା ଏକ ଇଲେକ୍ଟ୍ରୋନିକ୍ସ ବୋମା । ଏଠାରେ ସୂଚଇ ଦିଆଯାଇପାରେ ଏହି ଇଲେକଟ୍ରୋନିକ୍ସ ବୋମାରେ ସ୍ପ୍ରିଙ୍ଗ ଫିଟ୍ କରାଯାଇଥିଲା । ଯେଉଁଥି ପାଇଁ ପାର୍ସଲ ଖୋଲିବା ମାତ୍ରେ ନିମିଷକେ ସବୁ ଛାରଖାର ହୋଇଗଲା । ପ୍ରଚଣ୍ଡ ଶବ୍ଦରେ ପୂରା ଏରିଆ ତାବଦା ହୋଇଯାଇଥିଲା । ଏଠି ପ୍ରଶ୍ନ ଉଠୁଛି କିଏ ସେହି ସନ୍ଦିଗ୍ଧ ଯୁବତୀ? କ’ଣ ଥିଲା ତାଙ୍କର ସମ୍ପର୍କ? କାହିଁକି ପଠାଇ ଥିଲେ ସେ ବୋମା? ଯଦି ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ରିପୋର୍ଟକୁ ଗୁରୁତ୍ୱ ଦିଆଯାଏ ତେବେ ନକ୍ସଲ ବ୍ୟବହାର କରୁଥିବା ବୋମା ଏହି ସନ୍ଦିଗ୍ଧ ଯୁବତୀଙ୍କ ପାଖକୁ ଆସିଲା କେମିତି? ସନ୍ଦିଗ୍ଧ ଯୁବତୀ କୌଣସି ନକ୍ସଲଙ୍କ ସହ ଜଡିତ ନାହାନ୍ତି ତ? ଏମିିତି ଅନେକ ପ୍ରଶ୍ନକୁ ନେଇ ତଦନ୍ତକାରୀ ଟିମ ଆଗେଇଥିବା ବିଶ୍ୱସ୍ତ ସୂତ୍ରରୁ ଜଣାପଡିଛି ।
ସେପଟେ ପାର୍ସଲଟି ସ୍କାଏକିଙ୍ଗ୍ କୋରିଅରରେ ରାୟପୁରରୁ ଆସିଥିବା ଏବେ ପୁଲିସ ଜାଣିବାକୁ ପାଇଛି । ଯାହାର ଓଜନ ୨ କେଜି ୧୦ ଗ୍ରାମ । ଦିନ ପ୍ରାୟ ସାଢେ ୧୨ ଟାରେ କୋରିଅର ବଏ ପାର୍ସଲଟିକୁ ଆଣି ଶେଖରଙ୍କୁ ଦେଇଥିଲା । ପୁଲିସ ଘଟଣାକୁ ଖୁବ୍ ସତର୍କତା ଓ ଗୁପ୍ତ ଭାବେ ଅନୁସନ୍ଧାନ କରୁଥିବା ଜଣାପଡ଼ିଛି । ଖୁବଶୀଘ୍ର ଘଟଣାର ପର୍ଦ୍ଦାଫାଶ ହେବ ବୋଲି ପୁଲିସ ଆଶାବାଦୀ ଅଛି । ପାର୍ସଲ ବୋମା ବିସ୍ଫୋରଣରେ ନବଦମ୍ପତିଙ୍କ ମଧ୍ୟରୁ ସ୍ୱାମୀ ଶେଖର ସାହୁ ଓ ଜେଜେ ମା’ଜେମାମଣୀଙ୍କ ମୃତ୍ୟୁ ହୋଇଛି । ଗୁରୁତର ଆହତ ହୋଇଥିବା ଶେଖରଙ୍କ ସ୍ତ୍ରୀ ରୀମା ସାହୁ ବୁର୍ଲା ବଡ ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ସୂଚନାଯୋଗ୍ୟ ଯେ, ମୃତ ଶେଖର ବାଙ୍ଗାଲୋରରେ ସପ୍ଟଓୟାର ଇଞ୍ଜିନିୟର ଭାବେ କାର୍ଯ୍ୟ କରୁଥିଲେ । ତାଙ୍କ ଭଉଣୀ ରୁଷିଆରେ ଡାକ୍ତରୀ ପାଠ ପଢୁଥିବା ବେଳେ ବାପା ଅଧ୍ୟାପକ ଓ ମା’ ଅଧ୍ୟାପିକା ଭାବେ କାମ କରୁଛନ୍ତି ।