ଭୁବନେଶ୍ୱର (ଏଟିଆର ବ୍ୟୁରୋ); ସୋସିଆଲ ମିଡିଆ ଏବେ ସମସ୍ତଙ୍କୁ ବାଇଆ କରିଛି । ପିଲାଠାରୁ ବୁଢ଼ା ସମସ୍ତେ ମୋବାଇଲ ଧରି ସବୁବେଳେ କେଞ୍ଚୁଥିବା ଦେଖିବାକୁ ମିଳଉଛି । ତେବେ ଏମିତି ଜଣେ ପୂର୍ବତନ ଶିକ୍ଷକ କେଞ୍ଚୁ କେଞ୍ଚୁ ଛାତ୍ରୀଙ୍କ ପ୍ରେମରେ ପଡି ଯାଇଛନ୍ତି । ଏବଂ ଛାତ୍ରୀଙ୍କ ସହିତ ଖେଳ କରିବା ପାଇଁ ବାରମ୍ବାର ପ୍ରେମ ନିବେଦନ କରିଛନ୍ତି । ମାତ୍ର ସାରେ ବାପା ବୟସର ହୋଇଥିବାରୁ ତାଙ୍କୁ ସମ୍ମାନ ଦେଉଥିଲେ ଯୁବତୀ । କିନ୍ତୁ ସାରେ ମନରେ ପାପ ରଖି ଖରାପ ମେସେଜ କରିବାରେ ଲାଗି ପଡିଛନ୍ତି । ସାରଙ୍କୁ ଗିରଫ କରିବା ପାଇଁ ଖଣ୍ଡଗିରି ଥାନାରେ ଅଡି ବସିଛନ୍ତି ଛାତ୍ରୀ ।
ପୋଲିସ ସୂଚନା ମୁତାବକ ଛାତ୍ରୀ ଜଣକ ଏକ ବାଳିକା ଉଚ୍ଚ ବିଦ୍ୟାଳୟରେ ପାଠ ପଢ଼ୁଥିଲେ । ଏବଂ ଅଭିଯୁକ୍ତ ସାରେ ସେଠାରେ ଶିକ୍ଷକତା କରୁଥିଲେ । ଏବେ ଛାତ୍ରୀ ଜଣକ ଖଣ୍ଡଗିରି ଅଞ୍ଚଳରେ ଏକ ଘରୋଇ ମେଡିକାଲରେ ଷ୍ଟାପନର୍ସ ଭାବରେ କାମ କରୁଥିବା ବେଳେ ସାରେ ରେଭେନ୍ୟୁ ପରୀକ୍ଷାରେ ଉତୀର୍ଣ୍ଣ ହୋଇ ଗୋପ ଅଞ୍ଚଳରେ ରେଭେନ୍ୟୁ ଅଧିକାରୀ ଭାବରେ କାମ କରୁଛନ୍ତି । ୬ମାସ ପୂର୍ବେ ସାରେ ପ୍ରଥମେ ଫେସବୁକରେ ଫ୍ରେଣ୍ଡ ଆଉ ପରେ ନମ୍ବର ଆଣି ହ୍ୱାଟ୍ସଆପରେ ଖେଳ କରିବା ପାଇଁ ପ୍ରୟାସ ଜାରି ରଖିଥିବା ଯୁବତୀ ଅଭିଯୋଗ କରିଛନ୍ତି ।
ବାରମ୍ବାର ସାରଙ୍କର ଏଭଳି ଅଭଦ୍ରାମୀ ପରେ ଯୁବତୀ ଜଣକ ପରିବାର ଲୋକଙ୍କୁ କହିଥିଲେ । କିନ୍ତୁ ଘର ଲୋକ ଏହାକୁ ଗୁରୁତ୍ୱର ସହିତ ନେଇନଥିଲେ । ଏହାପରେ ସେ ପ୍ରଥମେ କାକଟପୁର ଥାନାରେ ଏତଲା ଦେଇଥିଲେ । ମାତ୍ର କାକଟପୁର ପୋଲିସ ତାଙ୍କୁ ଖଣ୍ଡଗିରି ଥାନାରେ ଏତଲା ଦେବା ପାଇଁ କହିଥିଲେ । ଏହାପରେ ସେ ଖଣ୍ଡଗିରି ଥାନାରେ ଏତଲା ଦେଇଛନ୍ତି । ଖଣ୍ଡଗିରି ଥାନା ଅଧିକାରୀ ସୂଚନା ଦେଇଛନ୍ତି କି ଘଟଣାର ତଦନ୍ତ ଆରମ୍ଭ ହୋଇଛି ।