ଅନୁଗୁଳ(ଏଟିଆର ବ୍ୟୁରୋ): ରାତି ଅଧରେ ଘର ଝରକା ତାଡି ଘରମାଲିକଙ୍କ ହାତଗୋଡ ବାନ୍ଧି ଚୋର ମାନେ ୧୫ଲକ୍ଷ ଟଙ୍କା ସୁନା ଗହଣା ସହିତ ନଗଦ ଟଙ୍କା ଚୋରି କରିନେଇଛନ୍ତି । ଏହି ଭଳି ଅଭିଯୋଗ ଆସିଛି ଅନୁଗୁଳ ଜିଲ୍ଲା ନାଲକୋନଗରରୁ । ସୂଚନା ଅନୁସାରେ ନାଲକୋନଗର ଥାନା ଅଧିନ କୁଲାଡ ପେଟ୍ରୋଲ ପମ୍ପ ସମ୍ମୁଖରେ ଥିବା ବରଦାପ୍ରସନ୍ନ ପଟ୍ଟନାୟକଙ୍କ ଘରେ ଚୋର ମାନେ ପଶି ଡକାୟତୀ କରିଛନ୍ତି । ବରଦାଙ୍କ କହିବା ଅନୁସାରେ ରାତିରେ ସେ ତାଙ୍କ ପତ୍ନୀ ଓ ସେମାନଙ୍କର ପିଲାମାନଙ୍କ ସହିତ ଶୋଇଥିବା ବେଳେ ଚୋର ମାନେ ଘର ଝରକା ତାଡି ଘର ଭିତରକୁ ପଶି ଥିଲେ ।
ଚୋର ମାନଙ୍କ ସଂଖ୍ୟା ୬ଜଣ ଥିବାର ବରଦା ଅନୁମାନ କରିଛନ୍ତି । ଘରେ ୪ଜଣ ଚୋର ପଶିବା ପରେ ବରଦାଙ୍କ ଗୋଡ ହାତ ବାନ୍ଧି ଛୁରି ଦେଖାଇ ତାଙ୍କ ପତ୍ନୀଙ୍କୁ ଷ୍ଟିଲ ଆଲମିରା ଚାବି ମାଗିବା ସହ ସେମାନଙ୍କୁ ଚୁପ ରହିବାକୁ କହିଥିଲେ । ଏହା ପରେ ଷ୍ଟିଲ ଆଲମିରାରୁ ପାଖାପାଖି ୧୫ ଲକ୍ଷ ଟଙ୍କାର ସୁନା ଗହଣା ଲୁଟି ନେଇଥିଲେ । ହିନ୍ଦୀ ଭାଷାରେ କଥା ହେଉଥିବା ଚୋର ମାନେ ମୁହଁରେ ଗାମୁଛା ବାନ୍ଧି ଥିବାରୁ ସେମାନଙ୍କର ମୁହଁ ବରଦା ଓ ତାଙ୍କ ପରିବାରର କେହି ଭଲ ଭାବରେ ଦେଖି ପାରିନଥିଲେ ।
ଚୋରି କରିବା ପରେ ସେମାନେ ଘରର ମୁଖ୍ୟ ଦ୍ୱାର ଦେଇ ବହାରକୁ ଯିବା ସହ କବାଟକୁ ବହାର ପଟୁ ବନ୍ଦ କରି ଦେଇଥିଲେ । ଏହା ସହ ଯଦି ବରଦା ଘରୁ ବାହାରନ୍ତି ତେବେ ଚୋର ମାନେ ତାଙ୍କୁ ଗୁଳି ମାରି ଦେବେ ବୋଲି ଧମକ ଦେଇଥିଲେ । କିଛି ସମୟ ପରେ ବରଦା ଘର ବହାରକୁ ବାହାରି ପୋଲିସଙ୍କୁ ଖବର ଦେଇଥିଲେ । ରାତି ପାଖାପାଖି ୩.୩୦ରେ ସନ୍ଧାନୀ କୁକୁରକୁ ନେଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଛାନବିନ ଆରମ୍ଭ କରିଛି ।