ଭୁବନେଶ୍ୱର,୧ା୩: ବିଦେଶ ବୁଲାଇବା ପାଇଁ ସ୍ୱପ୍ନ ଦେଖାଇଲେ । ଜଣେ କି ଦୁଇ ଜଣ ନୁହେଁ ଶହେରୁ ଅଧିକଙ୍କୁ ଠକିଲେ । ଦିନରେ ଚାନ୍ଦ ଦେଖାଇ ୨ କୋଟି ଟଙ୍କା ଠକି ନେଇଥିବା ଟ୍ରାଭେଲ୍ସ ସଂସ୍ଥାର ମାଲିକକୁ କମିଶନରେଟ ପୁଲିସ ଗୁରୁବାର ଗିରଫ କରିଛି । ଗିରଫ ଅଭିଯୁକ୍ତ ଜଣଙ୍କ ହେଲେ ସ୍ମୃତିରଂଜନ ବିଶ୍ୱାଳ । ଏବେବି ପତ୍ନୀ ମନୀଷା ସାମଲ ଫେରାର ଥିବା ଜଣାପଡିଛି ।
କୋଟି କୋଟି ଟଙ୍କା ନେଇ ଅଫିସରେ ତାଲା ଝୁଲାଇ ଉଭୟ ଚମ୍ପଟ ମାରିଥିଲେ । ଏସମ୍ପର୍କୀତ ଅଭିଯୋଗ ବଡ଼ଗଡ଼ ଥାନାରେ ପହଚିଂ ଥିଲା । ଅଭିଯୋଗ ପାଇ ପୁଲିସ ଠକେଇ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା
ଅଭିଯୋଗ ଅନୁଯାୟୀ, ବଡ଼ଗଡ଼ ଥାନା ନିକଟସ୍ଥ ବିଏମସି ଅଫିସ ସମ୍ମୁଖରେ ସ୍ମୃତିରଂଜନ ଓ ପତ୍ନୀ ମନୀଷା ପ୍ୟାନ ଇଣ୍ଡିଆ ହଲିଡ଼େ ରିସର୍ଚ୍ଚ ପ୍ରାଇଭେଟ ଲିମିଟେଡ ଟ୍ରାଭେଲ୍ସ ସଂସ୍ଥା ଖୋଲିଥିଲେ । ବିଭିନ୍ନ ଲୋକଙ୍କ ମୋବାଇଲ ନମ୍ବର ସଂଗ୍ରହ କରି ଲୋକଙ୍କୁ ଫୋନ ଜରିଆରେ ସେମାନଙ୍କର ଲକି ଡ୍ର ହୋଇଥିବା ଲୋଭ ଦେଖାଇଥିଲେ । ଖାଲି ଏତିକି ନୁହେଁ ଏହି କମ୍ପାନୀ ଗିଫ୍ଟ ସହ ୧ ଲକ୍ଷ ଟଙ୍କାର ଚେକ ପ୍ରଦାନ କରୁଥିବା ମଧ୍ୟ କହିଥିଲା । ଲୋଭନୀୟ କଥା ଶୁଣି ଅଫିସକୁ ଦୌଡିଥିଲେ ଲୋକେ । ଅଫିସରେ ଚାହା, କଫି ଦେଇ ଲୋକଙ୍କୁ ଚିକଣ କଥା କହି ବିଭିନ୍ନ ଦେଶ ବିଦେଶ ବୁଲେଇବାର ସପ୍ନ ଦେଖାଇଥିଲେ ।
ଦାର୍ଜିଲିଂ,ବ୍ୟାଙ୍କକ, ସୁମିତ୍ରା ଆଦି ଦେଶକୁ ବୁଲାଇ ନେବା ପାଇଁ କହିଥିଲେ । ଏଥିପାଇଁ ଲୋକଙ୍କଠାରୁ ଆଦାୟ କରିଥିଲେ ଲକ୍ଷାଧିକ ଟଙ୍କା । ସଂସ୍ଥା ଏହିଭଳି ଭାବେ ଶହେରୁ ଅଧିକ ଲୋକଙ୍କଠାରୁ ୨ କୋଟି ଟଙ୍କା ନେଇଥିଲା । ହେଲେ ଲୋକଙ୍କ ସ୍ୱପ୍ନ ପୂରଣ କରିନଥିଲେ ।