ମାଲକାନଗିରି (ଏଟିଆର ବ୍ୟୁରୋ); ଦିନକୁ ଦିନ ବଢ଼ିବାକୁ ଲାଗିଛି ଅପରାଧ । ଅଭିନବ ଉପାୟରେ ଦୁର୍ବୃତ୍ତମାନେ କରୁଛନ୍ତି ଅପରାଧ । ତେବେ ପୁଣି ଏଭଳି ଏକ ଘଟଣା ନଜରକୁ ଆସିଛି ଯାହା ଶୁଣିଲେ ତାଜୁବ ହୋଇଯିବେ । ପିଆଜ ବୋଝେଇ ଟ୍ରକରେ ଗଞ୍ଜେଇ ବେପାର ଚାଲିଥିଲା । ସେ ପୁଣି କୁଇଣ୍ଟାଲେ ନୁହେଁ କି ଦୁଇ କୁଇଣ୍ଟାଲ ପ୍ରାୟ ୮ କୁଇଣ୍ଟାଲ ଗଞ୍ଜେଇ ନେଇ ଯାଉଥିଲେ ଟ୍ରକରେ । ଆନ୍ଧ୍ରପ୍ରଦେଶର ରାଜମହେନ୍ଦ୍ରୀରୁ ଛତିଶଗଡ଼ର ରାୟପୁରୁକୁ ଓଡ଼ିଶା ଦେଇ ଗଞ୍ଜେଇ ଚାଲାଣ କରାଯାଉଥିଲା । ମାଲକାନଗିରି ଚିତ୍ରକୋଣ୍ଡା ଦେଇ ଚାଲାଣ ହେଉଥିଲା । ତେବେ ମୁଦୁଲିପଡା ଥାନା ପୋଲିସ ଜାଣିବା ପରେ ଜଣେ ଡ୍ରାଇଭର ଏବଂ ହେଲଫରକୁ ଗିରଫ କରିବା ସହ ଗଞ୍ଜେଇ ଜବତ କରିଛି ।
ଦୀର୍ଘଦିନ ହେବ ଏଭଳି ଗଞ୍ଜେଇ ଚୋରା ଚାଲାଣ ହେଉଥିଲା । ତେବେ ପୋଲିସ କୌଣସି ବିଶେଷ ସୂତ୍ରରୁ ଖବର ପାଇବା ଅଚାନକ ଟ୍ରକ ଉପରେ ଚଢ଼ାଉ କରିଥିଲା । ବେପାରୀମାନେ ଚାଲାକ କରି ଉପରେ ପିଆଜ ରଖିଥିଲେ ଏବଂ ଭିତରେ ଧଳା ବସ୍ତାରେ ଗଞ୍ଜେଇକୁ ରଖିଥିଲେ । ମାତ୍ର ପୋଲିସ ଏହି ଖବର ପାଇବା ପରେ ଚଢ଼ାଉ କରିଥିଲା । ଏବଂ ୮ କୁଇଣ୍ଟାଲ ଗଞ୍ଜେଇ ଜବତ କରିଛି । ଯାହାର ଆନୁମାନିକ ମୂଲ୍ୟ ପାଖାପାଖି ୪୦ ଲକ୍ଷ ଟଙ୍କା ହେବ । ସେପଟେ ଟ୍ରକ ଡ୍ରାଇଭର ଦୀପକ ସାହୁ ଏବଂ ହେଲଫର ବିଶ୍ୱରଞ୍ଜନକୁ ଗିରଫ କରିଛି । ଟ୍ରକକୁ ମଧ୍ୟ ଜବତ କରିଛି ପୋଲିସ ।
ସେପଟେ ଏହି ଗଞ୍ଜେଇ ବେପାରର ମାଷ୍ଟର ମାଇଣ୍ଡକୁ ଖୋଜୁଛି ପୋଲିସ । ଏମାନଙ୍କ ସହ କାହାର ସମ୍ପୃକ୍ତି ଅଛି ଏବଂ ଏହି ସବୁ ମାଲ କେଉଁଠିକି ଚାଲାଣ ହେଉଥିଲା ଏ ସମ୍ପର୍କ ଅଧିକ ଜାଣିବା ପାଇଁ ପୋଲିସ ଉଭୟଙ୍କୁ ପଚରା ଉଚରା କରୁଛି । ତେବେ ଏଠାରେ ପ୍ରଶ୍ନ ଉଠୁଛି ଏହି ବେପାର ଦୀର୍ଘ ଦିନ ହେବ ଚାଲିଥିଲା । ମାତ୍ର ପୋଲିସ କଣ ଜାଣିପାରୁ ନଥିଲା । ଏବେ କଣ ନିଦ ଭାଙ୍ଗିଲା । ଏଭଳି ଅନେକ ପ୍ରଶ୍ନ ଉଠାଇଛନ୍ତି ସାଧାରଣ ଲୋକ ।