ଭୁବନେଶ୍ୱର,(ଏଟିଆର ବ୍ୟୁରୋ): ରିପୋର୍ଟ ଆସିଗଲା । ବଳାତ୍କାର ହୋଇନାହିଁ । କୁନ୍ଦୁଲି ଘଟଣାରେ ସିଏଫଏସଏଲ ରିପୋର୍ଟକୁ ଦେଖାଇ ଏମିତି ସାଧୁବାଦ ଦେଖାଇଛି ଆଜି କ୍ରାଇମବ୍ରାଞ୍ଚ । କିନ୍ତୁ ବାସ୍ତବରେ ଏହି ରିପୋର୍ଟ ଗତ ଫେବ୍ରୁଆରୀ ୧୬ତାରିଖରୁ ଆସିଲାଣି ।
ଏନେଇ ପୂର୍ବରୁ ଥରେ ନୁହେଁ ବରଂ ଦୁଇ ଦୁଇଥର ଏଟିଆର ନ୍ୟୁଜ ଖବର ପ୍ରକାଶ କରିଛି । ସେଥିରେ ଆମେ ଏହା ମଧ୍ୟ ଦର୍ଶାଇଥିଲୁ ନିର୍ବାଚନ ଲାଗି ଜାଣିଶୁଣି ସିଏଫଏସଏଲ ରିପୋର୍ଟକୁ ଚପାଇ ରଖାଯାଇଛି । କାଳେ କୌଣସି ଅପ୍ରିତିକର ପରିସ୍ଥିତି ଉପୁଜିବ ସେଥିପାଇଁ କଳେବଳେ କୌଶଳେ ରିପୋର୍ଟକୁ ଚପାଇ ଦିଆଯାଇଛି । ଏଠି ପ୍ରଶ୍ନ ରିପୋର୍ଟକୁ ଚପାଇ ରଖିବା ପଛରେ କ୍ରାଇମବ୍ରାଞ୍ଚର ଅସଲ ମକସତ କଣ’ ଥିଲା? ଏତେ ଦିନ ପରେ ଅଚାନକ କାହିଁକି ସାମ୍ନାକୁ ଅଣାଗଲା? ଯାହାକୁ ନେଇ ଏବେ ଅନେକ କଥା ଶୁଣିବାକୁ ମିଳୁଛି ।
ସୂଚନାଯୋଗ୍ୟ, ଏଟିଆର ନ୍ୟୁଜ ମାଧ୍ୟମରେ ଏହା ମଧ୍ୟ ଆମେ ଖୁଲାସା କରିଥିଲୁ କି’ ରିପୋର୍ଟ ସମାନ ରହିଛି । ଯାହା ଆଜି ପ୍ରମାଣିତ ହୋଇଛି । ରାଜ୍ୟ ସରକାରଙ୍କ ରିପୋର୍ଟ ସହ କେନ୍ଦ୍ରୀୟ ରିପୋର୍ଟ ହାତ ମିଳାଇଛି । ଉଭୟ ରିପୋର୍ଟରେ ବଳାତ୍କାର ହୋଇନଥିବା ସ୍ପଷ୍ଟ କରାଯାଇଛି । ସୂଚନାଯୋଗ୍ୟ, ନଭେମ୍ବର ୫ରେ ଓଏଚଆରସି ଏଡିଜି ମହେନ୍ଦ୍ର ପ୍ରତାପ କୁନ୍ଦୁଲି ମାମଲାରେ ଦୁର୍ଷ୍ମମ ପ୍ରମାଣ ମିଳୁନନାହିଁ ବୋଲି ତଦନ୍ତ ରିପୋର୍ଟରେ ଉଲ୍ଳେଖ କରିଥିଲେ । ଏହାକୁ ନେଇ ବିବାଦ ଉଠିବା ପରେ ସିଏଫଏସଏଲର ସହାୟତା ଲୋଡାଯାଇଥିଲା ।