ଅନୁଗୋଳ (ଏଟିଆର ବ୍ୟୁରୋ); ସ୍ୱାମୀର ଟାଙ୍ଗିଆ ଚୋଟରେ ଗଲା ସ୍ତ୍ରୀର ଜୀବନ । ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ନୃଂଶସ ଭାବରେ ହାଣି ଦେଲା ସ୍ୱାମୀ । ତେବେ ଏଭଳି ଅଭାବନୀୟ ଘଟଣା ଘଟିଛି ଅନୁଗୋଳ ଜିଲ୍ଲା ଖମାର ଥାନା ବାରକୋଟିଆ ଗାଁରେ । ମୃତ ମହିଳା ହେଲେ ଭଗବତୀ ବେହେରା (୪୫) । ପୋଲିସ ଖବର ପାଇବା ପରେ ଅଭିଯୁକ୍ତ ବଳ ବେହେରାଙ୍କୁ ଗିରଫ କରିବା ସହିତ ମୃତ ଦେହକୁ ଉଦ୍ଧାର କରି ବ୍ୟବଛେଦ ପାଇଁ ପଠାଇ ଦେଇଛି । ଭଗବତୀ ବଳଙ୍କର ଚତୁର୍ଥ ସ୍ତ୍ରୀ । ପୂର୍ବରୁ ତିନୋଟି ସ୍ତ୍ରୀଙ୍କ ମୃତ୍ୟୁ ପରେ ସେ ଭଗବତୀଙ୍କୁ ବିବାହ କରିଥିଲେ । ତେବେ ଭଗବତୀଙ୍କ ଚରିତ୍ରକୁ ସନ୍ଦେହ କରି ହତ୍ୟା କରିଥିବା ମାନିଛି ଅଭିଯୁକ୍ତ ।
ପୋଲିସ ରିପୋର୍ଟ ମୁତାବକ ଉଭୟ ଆଠଦିନ ପୂବେ ଝିଅ ଘରକୁ ନିର୍ବଦ୍ଧ କାର୍ଯ୍ୟରେ ଯୋଗ ଦେବା ପାଇଁ ଯାଇଥିଲେ । ତେବେ ସେଠାରେ କୌଣସି କାରଣରୁ ସ୍ତ୍ରୀଙ୍କ ଉପରେ ସନ୍ଦେହ କରିଥିଲେ ବଳ । ଘରକୁ ଫେରିବା ପରଠୁ ଦୁହିଁଙ୍କ ମଧ୍ୟରେ ପାଟିତୁଣ୍ଡ ଲାଗି ରହୁଥିଲା । ତେବେ ଗତକାଲି ରାତିରେ ଦୁହେଁ ଖାଇ ପିଇ ଶୋଇଥିଲେ । ମାତ୍ର ଭୋର ସମୟରେ ଉଭୟଙ୍କ ମଧ୍ୟରେ ପୁଣିଥରେ ଝଗଡା ହୋଇଥିଲା । ଏବଂ ବଳଙ୍କ ମୁଣ୍ଡକୁ ପିତ ଚଢ଼ିଯାଇଥିଲା । ସେ ଭଗବତୀଙ୍କୁ ନୃଂଶସ ଭାବରେ ହାଣି ପକାଇଥିଲେ । ତାଙ୍କ ପାଟି ଶୁଣି ସାଇ ପଡିଶା ଉଠି ପଡିଥିଲେ । ଏବଂ ଆସି ଦେଖିବା ବେଳକୁ ସବୁକିଛି ସରି ଯାଇଥିଲା ।
ତେବେ ବଳ ଖସି ପଳାଇବା ପାଇଁ ଚେଷ୍ଠା କରୁଥିବା ବେଳେ ଗାଁ ଲୋକ କାବୁ କରି ଦେଇଥିଲେ । ଏବଂ ତାଙ୍କୁ ପୋଲିସ ଜିମା ଦେଇଥିଲେ । ପୋଲିସ ଅଭିଯୁକ୍ତକୁ ଗିରଫ କରି ପଚରା ଉଚରା କରିବା ସହିତ ମୃତ ଦେହକୁ ଉଦ୍ଧାର କରି ବ୍ୟବଛେଦ ପାଇଁ ପଠାଇ ଦେଇଛି ।