ମୟୂରଭଞ୍ଜ (ଏଟିଆର ବ୍ୟୁରୋ); ଯୁବକଙ୍କୁ ସଂଘବନ୍ଧ ଆକ୍ରମଣ । ସମ୍ପକୀୟ ସାଜିଲେ ବଇରୀ । ୪ଜଣ ମିଶି କଟୁରୀରେ ମରଣାନ୍ତକ ଆକ୍ରମଣ କରିଛନ୍ତି । ମୟୂରଭଞ୍ଜ ଜିଲ୍ଲା ଝରାଡିହି ଫାଣ୍ଡି ଅର୍ନ୍ତତ ଡେଉରାଡିହି ଅଞ୍ଚଳରୁ ଆସିଛି ଏଭଳି ଅଭିଯୋଗ । ଆହତ ଯୁବକ ହେଲେ ଶୁକରା ଦେହୁରୀ (୩୫) । ତାଙ୍କୁ ରାଇରଙ୍ଗପୁର ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ପୋଲିସ ଖବର ପାଇବା ପରେ ଘଟଣାର ତଦନ୍ତ ଆରମ୍ଭ କରିଛି ।
ସୂଚନା ଅନୁଯାୟୀ, ସେମାବାର କୌଣସି କାମରେ ବାହାରକୁ ଯାଇଥିଲେ ଶୁକରା । ନିଜ ପୁତୁରାଙ୍କ ସହ ବିଳମ୍ବିତ ରାତିରେ ଘରକୁ ଫେରୁଥିବା ବେଳେ ୪ଜଣ ସମ୍ପର୍କୀୟ ସଂଘବନ୍ଧ ଭାବରେ ଆକ୍ରମଣ କରିଥିଲେ । ବିଚ ରାସ୍ତା ଗୋଡାଇ ଗୋଡାଇ ହାଣିଥିଲେ । ତାଙ୍କ ମୁଣ୍ଡକୁ ମଧ୍ୟ ଜୋରରେ ହାଣି ଦେଇଥିବା ଶୁଣିବାକୁ ମିଳୁଛି । ତେବେ ପାଟିଶୁଣି ସ୍ଥାନୀୟ ଲୋକ ଦୌଡି ଆସିବାରୁ ଶୁକରାଙ୍କୁ ଛାଡି ପଳାଇଥିଲେ । ଏହାରପରେ ତାଙ୍କ ପରିବାର ଲୋକ ଶୁକରାଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଥିଲେ ।
ପରିବାର ଲୋକ ଥାନାରେ ଏତଲା ଦେବା ପରେ ପୋଲିସ ଏକ ମାମଲା ଦାୟର କରିଛି । ଏହି ଅଭିଯୋଗ ଆଧାରରେ ଅଭିଯୁକ୍ତଙ୍କୁ ଖୋଜୁଛି ପୋଲିସ । ତେବେ ସମ୍ପର୍କୀୟ ହୋଇ ଏଭଳି ମରଣାନ୍ତକ ଆକ୍ରମଣ କରିଥିବା ଖବରକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହେଉଛି । ପୂର୍ବ ଶତୃତା କାରଣରୁ ଏହି ଆକ୍ରମଣ ହୋଇଥିବା ଅନୁମାନ କରାଯାଉଛି । ଶୁକରାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଏବେ ଟିକେ ଭଲ ରହିଛି ।