ସାତକୋଶିଆ(ଏଟିଆର ବ୍ୟୁରୋ): ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ମହାନଦୀ ବନ୍ୟପ୍ରାଣୀ ବନଖଣ୍ଡ ନୟାଗଡ ଓ ସାତକୋଶିଆ ବ୍ୟାଘ୍ର ସଂରକ୍ଷଣ ଅଞ୍ଚଳରେ କୁମ୍ଭୀର ଗଣନା କାର୍ଯ୍ୟ ଆରମ୍ଭ ହୋଇଛି । ଏହି ଗଣନା କାର୍ଯ୍ୟ ଆଜି ଠାରୁ ଆରମ୍ଭ ହୋଇ ଆସନ୍ତା ୧୧ ତାରିଖ ଦିନ ଶେଷ ହେବ । ତିନି ଦିନ ଧରି ହେବାକୁ ଥିବା ଏହି ଗଣନା କାର୍ଯ୍ୟରେ ୧୩ ଟି ୟୂନିଟ ସାମିଲ ହୋଇଛନ୍ତି । ସେଥିମଧ୍ୟରୁ ୮ଟି ୟୁନିଟ ସାତକୋଶିଆ ଓ ୫ଟି ୟୁନିଟ ମହାନଦୀ ଡିଭିଜନରେ ଗଣନା କାର୍ଯ୍ୟରେ ନିୟୋଜିତ ହୋଇଥିବା ବନ୍ୟପ୍ରାଣୀ ବିଭାଗ ତରଫରୁ ସୂଚନା ମିଳିଛି ।
ନୟାଗଡ ଜିଲ୍ଲା ଗଣିଆ ବ୍ଲକ ମଣିଭଦ୍ରା କଳାପାଟ ପୀଠ ଠାରୁ ବଡମୂଳ, କୁତୁରୀ ଠାରୁ ମାରଡା, ବଡମୂଳ ଠାରୁ କୁତୁରୀ, ବୌଦ୍ଧ ଜିଲ୍ଲାର ମାରଡା ଠାରୁ ଶୀତଳପାଣି ଓ ଶୀତଳପାଣି ଠାରୁ ହରଭଙ୍ଗା ପର୍ଯ୍ୟନ୍ତ ଥିବା ବିଭିନ୍ନ ଜଳାଶୟ ଗୁଡିକରେ ଏହି ଗଣନା କାର୍ଯ୍ୟ କରାଯାଉଛି । ନୟାଗଡ ମହାନଦୀ ବନ୍ୟପ୍ରାଣୀ ବନଖଣ୍ଡ ଏସିଏଫ ବିଜୟ କୁମାର ମହାନ୍ତି କହିଛନ୍ତି ଯେ ଏହି ଗଣନା ସମୟରେ କୁମ୍ଭୀରକୁ ସିଧାସଳଖ ଦେଖିବା ସହ କୁମ୍ଭୀର ଘୋଷରା ଚିହ୍ନକୁ ଅନୁଧ୍ୟାନ କରାଯାଇ ଗଣନା କରାଯିବ । ଆଜି ଠାରୁ ୧୧ ତାରିଖ ପର୍ଯ୍ୟନ୍ତ ମହାନଦୀରେ ନୌକାଚାଳନା, ମାଛ ଧରିବା ଓ ପର୍ଯ୍ୟଟକଙ୍କ ନୌକାବିହାର ମହାନଦୀରେ ନୌକାଚାଳନା, ମାଛ ଧରିବା କାର୍ଯ୍ୟକୁ କଡାକଡି ଭାବେ ନିଷେଧ କରାଯାଇଛି ବୋଲି ଛାମୁଣ୍ଡିଆ ବନଞ୍ଚଳ ଅଧିକାରୀ ଅଶୋକ ଦାସ ସୂଚନା ଦେଇଛନ୍ତି ।