ଭୁବନେଶ୍ୱର ( ଏଟିଆର ) : ଗତ ସାଧାରଣ ନିର୍ବାଚନ ବେଳେ ଶଙ୍ଖରୁ ବିତାଡିତ ହୋଇ ପଦ୍ମନାଡ ଧରିଥିବା ବରିଷ୍ଠ ରାଜନେତା ଦାମଦୋର ରାଉତ ବିଜେପିରୁ ଆଜି ଇସ୍ତପା ଦେଇଛନ୍ତି । ଦଳରୁ ଇସ୍ତପା ଦେବା ପାଇଁ ସେ ନିଜ ଇସ୍ତପା ପତ୍ର ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡାଙ୍କୁ ପଠାଇଛନ୍ତି । ଦଳ ତାଙ୍କୁ ଆଉ ଆବଶ୍ୟକ କରୁ ନଥିବା ଅଭିଯୋଗ କରି ସେ ଇସ୍ତଫା ଦେଇଛନ୍ତି।
ପରିଣତ ବୟସରେ ଦଳୀୟ ନିର୍ବାଚନ ରାଜନୀତିରେ ନିଜକୁ ସଂଶ୍ଳିଷ୍ଟ ନକରି ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କର ଜଣେ ଉତ୍ସର୍ଗୀକୃତ ଅନୁଗତ ଭାବରେ ରାଜ୍ୟବାସୀଙ୍କ ସ୍ୱାର୍ଥ ପାଇ ଅବଶିଷ୍ଟ ଜୀବନ ବିତାଇବା ପାଇଁ ମୁଁ ଭାରତୀୟ ଜନତା ପାର୍ଟିର ସଦସ୍ୟ ପଦରୁ ଇସ୍ତଫା ପ୍ରଦାନ କରୁଛି। ସେ ଇସ୍ତପା ପତ୍ରରେ ଆହୁରି ମଧ୍ୟ ଲେଖିଛନ୍ତି ଗତ ସାଧାରଣ ନିର୍ବାଚନ ପରେ ଭାରତୀୟ ଜନତା ପାର୍ଟିର ଦଳୀୟ କାର୍ଯ୍ୟକ୍ରମରେ ମୋର ଆବଶ୍ୟକ ହେଉନଥିବା ମୋତେ ଅନୁଭବ ହେଉଛି । ଯାହା ମତେ ଗଭୀର ମାନସିକ ଆଘାତ ଦେଉଛି ।
ରାଜ୍ୟ ବିଧାନସଭାରେ ୩୫ ବର୍ଷ ବିଧାୟକ ଏବଂ ୬ ଥର କ୍ୟାବିନେଟ ମନ୍ତ୍ରୀ ଭାବେ କାର୍ଯ୍ୟ କରି ସାରିବା ପରେ ଏବେ ମୋର ଅଲୋଡା ଓ ଅନାବଶ୍ୟକ ସ୍ଥିତି ସକ୍ରିୟ ନିର୍ବାଚନ ରାଜନୀତିରୁ ସଂପୂର୍ଣ୍ଣ ଅବ୍ୟାହତି ନେବା ପାଇଁ ବାଧ୍ୟ କରୁଛି ବୋଲି ଦର୍ଶାଇଛନ୍ତି । ତେବେ ଦାମ ବାବୁଙ୍କ ଇସ୍ତପା ପତ୍ର ସଭାପତିଙ୍କ ପାଖକୁ ପଠା ହୋଇଥିଲେ ମଧ୍ୟ ବିଜେପି ପକ୍ଷରୁ କୌଣସି ସ୍ପଷ୍ଟିକରଣ ଦିଆ ଯାଇନାହିଁ ।