ଭୁବନେଶ୍ୱର,(ଏଟିଆରବ୍ୟୁରୋ): ବାରମ୍ବାର ତାଗିଦ୍ କରାଯାଇଛି । ଚଢ଼ାଉ ମଧ୍ୟ ହୋଇଛି । ହେଲେ ତଥାପି ଖାତିର ନାହିଁ । ପୁଲିସ ଓ ଅବକାରୀ ବିଭାଗକୁ ଖୋଲା ଚ୍ୟାଲେଞ୍ଜ କରି ଚାଲିଛି ବେଆଇନ୍ ଡ୍ୟାନ୍ସବାର । ଆମେ ଏଥିପାଇଁ ବେଆଇନ୍ କହୁଛୁ କାରଣ ବାର ଚଲାଇବା ଲାଗି ଯେଉଁ କାଇଦା କାନୁନ ରହିଛି ତାହାର ଧଜିଆ ଉଡାଉଛନ୍ତି ବାର ମାଲିକ । ଜଣେ କି’ ଦୁଇଜଣ ନୁହେଁ ଏକାଧିକ ଡ୍ୟାନ୍ସବାର ଏବେ ନିଜର ମନମାନି ଚଳାଇଛନ୍ତି । ୨/୪ଟା ଡ୍ୟାନ୍ସ ବାର ତ’ ସବୁ ସୀମା ଟପି ଯାଉଛନ୍ତି ।
ତେବେ ପୁଲିସ ଓ ଅବକାରୀ ବିଭାଗ ଏ ସମ୍ପର୍କରେ ଜାଣି ନାହାନ୍ତି ନା’ ମୋଟା ଅଙ୍କର ମାଲ ପକାଇ ଚୁପ ରହୁଛନ୍ତି ତାହା ମା’ ଗଙ୍ଗେଇ ଜାଣନ୍ତି । କିନ୍ତୁ ଏ କଥା ସତ ଯେ, ବାର ମାଲିକମାନେ ବାହାରେ ତାଲା ପକାଇ ଭିତରେ ପାଲା ରଚୁଛନ୍ତି । ଅବକାରୀ ବିଭାଗ ଗାଇଡ ଲାଇନ କହୁଛି ଦିନ ୧୨ରୁ ରାତି ୧୨ ଯାଏଁ ଚାଲିପାରିବ ବାର । ସେଥିରେ ପୁଣି ରାତି ସାଢ଼େ୧୧ରୁ ଏଣ୍ଟ୍ରି ବନ୍ଦ । ହେଲେ ଏ ଗାଇଡ୍ ଲାଇନ କେବଳ ଏବେ କାଗଜ କଲମରେ ରହିଯାଇଛି । ଦେଖିବାକୁ ବା’ ଜଗିବାକୁ କେହି ନଥିବାରୁ ଭରା ଫାଇଦା ଉଠାଉଛନ୍ତି ବାର ମାଲିକମାନେ । ଢ଼େର ରାତି ଯାଏଁ ଅଧା ଲଙ୍ଗଳା ଡ୍ୟାନ୍ସ ଦେଖାଇ ଭରା ମାଲ କମାଉଛନ୍ତି ।
ଖାରବେଳନଗର ଥାନା ଅଞ୍ଚଳରେ ଥିବା ମ୍ୟାଡମୁଲ ହେଉ ଅବା କଟକ ରୋଡରେ ଥିବା ରେନ୍ ବୋ’ ଅବା କ୍ୟାପିଟାଲ ଥାନା ଇଲାକାର ସେହି ରଂଗିଲା ବାର, ସବୁଠି ରଂଗିନ୍ ହେଉଛି ରାତି । ହୋଟେଲ ଓ ଡ୍ୟାନ୍ସବାର ଭିତରେ ହେଉଛି ସଉଦା । ମେହବୁବଙ୍କ ମାସୁକା ପାଲଟୁଛନ୍ତି ମାୟାବିନୀ । ଧରିବାକୁ କି’ ରୋକିବାକୁ କେହି ନାହିଁ । ଅଭିଯୋଗ ହୋଇଛି ବଡ଼ବଡ଼ିଆଙ୍କ ସମ୍ପୃକ୍ତି ଲାଗି ଚୁପ ରହୁଛି ଅବକାରୀ ବିଭାଗ ଓ ପୁଲିସ । ଯାହା ଏବେ ଲୋକଙ୍କ ମୁଣ୍ଡ ବିନ୍ଧାର କାରଣ ହୋଇଛି । ପୁଲିସ ରେକର୍ଡ କହୁଛି ଡ୍ୟାନ୍ସବାର ଯୋଗୁଁ ଅତୀତରେ ବହୁ ଅଘଟଣ ଘଟିଛି । ବାର ଭିତରେ ଛୁରାମାଡ଼ ସାଙ୍ଗକୁ ଅନ୍ଧାଧୂନ ବନ୍ଧୁକ ଗର୍ଜିଛି ।
ହେଲେ ଏବେକାର ଦୃଶ୍ୟକୁ ଦେଖିଲେ ତ’ ଆଦୌ ଅବକାରୀ ବିଭାଗ ଚେତିନଥିବା ଜଣାପଡୁଛି । ତେବେ କିଭଳି ଡ୍ୟାନ୍ସବାର ମାଲିକ ମାନେ ଆଇନର ଧଜିଆ ଉଡାଉଛନ୍ତି ତାହା ଜାଣିବାକୁ ଆମେ ଖାରବେଳନଗର ଥାନା ନିକଟରେ ଥିବା ମ୍ୟାଡମୁଲ ବାରକୁ ସ୍କାନରକୁ ନେଇଥିଲୁ । ରାତି ୨ଟା ଯାଏଁ ସାମ୍ନାରେ ଛକିଥିଲୁ । ତେବେ ଯାହା ଦେଖିଲୁ ଆମ ମୁଣ୍ଡ ଟିଣ ହୋଇଗଲା । ରାତି ସାଢ଼େ ୧୧ଟାରେ ଏଣ୍ଟ୍ରି କ’ଣ ବନ୍ଦ ବରଂ ରାତି ୧୨ଟାରେ ମଧ୍ୟ ଲୋକେ ପ୍ରବେଶ କରିଥିବା ଦେଖିବାକୁ ମିଳିଥିଲା । ଆଉ ତା’ ଭିତରୁ ଉଭୟ ଯୁବକ/ଯୁବତୀ ବାହାରିବା କଥା ତ’ ନକହିଲେ ଭଲ । ସେପଟେ ମ୍ୟାଡମୁଲ ସମ୍ପର୍କରେ ଆମେ କେତେକ ବାରମାଲିକଙ୍କ ସହ ମଧ୍ୟ କଥାଛଳରେ ଡାଟା ସଂଗ୍ରହ କରିଥିଲୁ ।
ସେମାନେ ମଧ୍ୟ ଏ କଥାକୁ ସ୍ୱୀକାର କରିଥିଲେ କି’ ଯାବତୀୟ ଅଳିଆ କରୁଛି ମ୍ୟାଡ୍ମୁଲ । ମାତ୍ରାଧିକ ସାଉଣ୍ଡ ସାଙ୍ଗକୁ ଢ଼େର ରାତି ଯାଏଁ ବେପାର କରୁଛି । ଅନ୍ୟ ବାର ଉପରେ ପୁଲିସ ନଜର ପକାଉଥିବା ବେଳେ ମ୍ୟାଡମୁଲ ବେଳକୁ ପାଟି କାହିଁକି ଚୁପ ରହୁଛି ସେନେଇ ସେମାନେ ପ୍ରଶ୍ନ ଉଠାଇଥିଲେ । ସବୁଠୁ ବଡ଼ କଥା ହେଉଛି ମ୍ୟାଡମୁଲ ପଛରେ କେହି ଜଣେ ବରିଷ୍ଠ ଅଧିକାରୀ ସହଯୋଗ କରୁଥିବା ବିଶ୍ୱସ୍ତ ସୂତ୍ରରୁ ଜଣାପଡିଛିି । ଯାହା ପାଇଁ ଚାହିଁଲେ ବି ବହୁ ସମୟରେ ଚୁପ ରହିବାକୁ ବାଧ୍ୟ ହେଉଛି ପୁଲିସ । କେବଳ ମ୍ୟାଡମୁଲ କାହିଁକି କଟକ ରୋଡରେ ଥିବା ଏକାଧିକ ବାର ବିଳମ୍ବିତ ରାତି ପର୍ଯ୍ୟନ୍ତ ବାର ଚଳାଉଛନ୍ତି ।
ପଚାରିବାରେ ସେମାନେ ରାତି ସାଢ଼େ ୧୧ପରେ ଭଲ ବେପାର ହେଉଥିବା ଯୋଗୁ ଆଇନର ଧଜିଆ ଉଡାଉଥିବା ବେଶ ଖାମଖିଆଲି ଭାବେ ଉତ୍ତର ରଖିଛନ୍ତି । ସୂଚନାଯୋଗ୍ୟ, ବିଗତ ୩ମାସର ରିପୋର୍ଟ ଦେଖିଲେ ଅବକାରୀ ବିଭାଗ ଯେମିତି କୋମାରେ ଥିବା ଭଳି ମନେହୁଏ । ଆଶା କରିବୁ ଏହି ରିପୋର୍ଟ ପରେ ନିଦରେ ଶୋଇଥିବା ଅବକାରୀ ବିଭାଗର ଚେତା ପଶିବ । ବ୍ୟୁରୋ ରିପୋର୍ଟ ଏଟିଆର ନ୍ୟୁଜ୍