ନୟାଗଡ (ଏଟିଆର ବ୍ୟୁରୋ); ପାରିବାରିକ କଳହର କରୁଣ ପରିଣତି । ଶାଶୁ ଶ୍ୱଶୁରଙ୍କୁ ନଜରବନ୍ଦୀ କରି ରଖିଛି ବୋହୂ । ରୋଗିଣା ଶାଶୁ ଏବଂ ପକ୍ଷାଘାତ ଶ୍ୱଶୁରଙ୍କୁ ଚିକିତ୍ସା ପାଇଁ ଛାଡୁନି ବୋହୂ । ସ୍ୱାମୀଙ୍କ ସହ କଳହ କାରଣରୁ ଶାଶୁ ଶ୍ୱଶୁରଙ୍କୁ ଏଭଳି ନିର୍ଯ୍ୟାତନା ଦେଉଥିବା ଅଭିଯୋଗ ହୋଇଛି । ନଣନ୍ଦ ପ୍ରଭାସିନୀ ଥାନାରେ ଅଭିଯୋଗ କରିବା ପରେ ଏହି ଘଟଣା ଲୋକ ଲୋଚନକୁ ଆସିଛି । ତେବେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ନୟାଗଡ ଜିଲ୍ଲା ରାଜସୁନାଖଳା ଡିହଗାଁରେ । ଗାଁର କୁନି ନାମକ ଜଣେ ମହିଳାଙ୍କ ନାଁରେ ଆସିଛି ଏଭଳି ଅଭିଯୋଗ ।
ସୂଚନା ଯୋଗ୍ୟ , ରଣପୁର ଖଣ୍ଡିଆବନ୍ଧ ଗାଁର କୁନି ଡିହଗାଁର ମନୋରଞ୍ଜନଙ୍କୁ ବିବାହ କରିଥିଲେ । କିଛି ଦିନ ଖୁସିରେ ସଂସାର ଚଳିବା ପରେ ଦୁହିଁଙ୍କ ମଧ୍ୟରେ କହଳ ସୃଷ୍ଟି ହୋଇଥିଲା । ଫଳରେ ରାଗରେ ବାପ ଘରକୁ ଚାଲି ଯାଇଥିଲେ କୁନି । ବାପଘରକୁ ଯିବା ପରେ କୁନି ସ୍ୱାମୀ,ଶ୍ୱଶୁର,ଶାଶୁ ଏବଂ ନଣନ୍ଦଙ୍କ ନାଁରେ ଥାନାରେ ଏତଲା ଦେଇଥିଲେ । ତେବେ ଘଟଣାର କିଛି ଦିନ ବିତିଯିବା ପରେ ପୁନର୍ବାର ଶାଶୁ ଘରକୁ ଆସି ଜୋର ଜବରଦସ୍ତ ରହିଥିଲେ କୁନି ।
କୁନି ଶାଶୁ ଘରକୁ ଆସିବା ପରେ ରାଗରେ ରୋଗିଣା ଶାଶୁ ଏବଂ ପକ୍ଷାଘାତ ଶ୍ୱଶୁରଙ୍କ ଉପରେ ଦାଉ ସାଜିଥିଲେ । ସ୍ୱାମୀଙ୍କ ରାଗ ସବୁ ଏମାନଙ୍କ ଉପରେ ସୁଝାଉଥିଲେ ବୋଲି ତାଙ୍କ ନଣନ୍ଦ ଅଭିଯୋଗ କରିଛନ୍ତି । ଉଭୟ ଶାଶୁ ଶ୍ୱଶୁର ରୋଗିଣା ହୋଇଥିଲେ ମଧ୍ୟ ସେମାନଙ୍କୁ ଚିକିତ୍ସା ପାଇଁ ବାହାରୁକୁ ଛାଡୁ ନାହାଁନ୍ତି । ସେପଟେ ମନୋରଞ୍ଜନ ଏହି କଥା ଜାଣିଥିଲେ ମଧ୍ୟ କୌଣସି ପଦକ୍ଷେପ ନେଉ ନାହାନ୍ତି ବୋଲି ଭଉଣୀ ଅଭିଯୋଗ କରିଛନ୍ତି ।