ଅନୁଗୁଳ ( ଏଟିଆର ବ୍ୟୁରୋ): ଶୀର୍ଷକ ଟି ପଢି ଆପଣ ନିହାତି ଆଶ୍ଚର୍ଯ୍ୟ ହୋଇ ଯାଇଥିବେ । ଆପଣ ଭାବୁଥିବେ ଏହା ନିଶ୍ଚୟ କେଉଁ ଅପେରା କିମ୍ବା ସିନେମାର କାହାଣୀ ହୋଇଥିବ । ନାଁ ଘଟଣାଟି କେଉଁ ସିନେମା ବା ଯାତ୍ରାର କାହାଣୀ ନୁହେଁ । ଘଟଣାଟି ଏକ ସଂମ୍ପୁର୍ଣ୍ଣ ସତ୍ୟ ଘଟଣା । ଅନୁଗୁଳରେ ନିଜ ବିଧବା ବୋହୂକୁ ଶାଶୁ ନିଜେ ଅନ୍ୟ ପୁଅ ସହିତ ବିବାହ ଦେଇଛନ୍ତି । ଯାହା ପାଇଁ ଶାଶୁ ଜଣଙ୍କ ଆଜି ପୁରା ଶାଶୁ ବୋହୂ ସମ୍ପର୍କ ପାଇଁ ଉଦାହରଣ ପାଲଟିଛନ୍ତି । ତାଳଚେର ଗୋବରା ସାହିର ପ୍ରତିମା ବେହେରାଙ୍କ ପୁଅ ରକି ବେହେରା ସାତ ମାସ ପୂର୍ବେ ଅନୁଗୁଳ ଜିଲ୍ଲା ତୁରଙ୍ଗ ଗ୍ରାମର ଲିଲି ବେହେରାଙ୍କୁ ବିବାହ କରିଥିଲେ।
ସୁଖର ସଂସାର ଆରମ୍ଭ ହେଉ ହେଉ ବିଧାତା ସାଜିଲା ଦାଉ । ଭରତ ପୁର କୋଇଲା ଖଣି ଦୂର୍ଘଟଣାରେ ଆର ପାରିକୁ ଚାଲିଗଲା ନବ ବିବାହିତ ବଧୂର ସ୍ୱାମୀ ରକି । ପାଦରୁ ଅଳତା ଓ ହାତରୁ ମେହେନ୍ଦି ଛାଡିବା ଆଗରୁ ଦଇବ ଛଡାଇନେଲା ସିନ୍ଥିରୁ ସିନ୍ଦୁର ଆଉ ହାତରୁ ଶଙ୍ଖା । ଗୋଟେ ପଟେ ପୁଅର ଅକାଳ ମୃତ୍ୟୁ ଅନ୍ୟପଟେ ଏଇ କେଇଟା ଦିନ ଆଗରୁ ପୁଅର ହାତ ଧରି ଆସିଥିବା ବୋହୂର ବିଧବା ରୂପ । ଏକ ପ୍ରକାର ଅସ୍ତବ୍ୟସ୍ତ କରି ପକାଇଥିଲା ଶାଶୁ ପ୍ରତିମାଙ୍କୁ । ପ୍ରତ୍ୟକ ମୁହୁତ୍ତରେ ତାଙ୍କ ଆଗରେ ନାଚି ଉଠୁଥିଲା ଘରେ ଥିବା ବିଧବା ବୋହୂର ଶୁଖିଲା ମୁହଁ ।
ଯାହା ତାଙ୍କୁ ତାଙ୍କ ପୁଅର ମୃତ୍ୟୁର ଦୁଃଖ ଠାରୁ ବି ଅଧିକ କଷ୍ଟ ଦେଉଥିଲା । ଏଥିପାଇଁ ପ୍ରତିମା ମନେ ମନେ ସ୍ଥିର କରିଥିଲେ ତାଙ୍କ ବୋହୂକୁ ସେ ଅନ୍ୟ ଏକ ପୁଅ ସହ ବିବାହ ଦେବା ପାଇଁ । ଶେଷରେ ପ୍ରତିମା ଦେବୀ ବୋହୂର ବିବାହ ପ୍ରସ୍ତାବ ନେଇ ପହଞ୍ଚିଲେ ହେମସୁରପଡ଼ାର ବାସିନ୍ଦା ନିଜ ଭାଇ ପ୍ରାଣବନ୍ଧୁ ବେହେରାଙ୍କ ପାଖରେ। ସେଠାରେ ସେ ନିଜ ଭାଇଙ୍କ ପୁଅ ସହିତ ବୋହୂର ବିବାହ କରିବାକୁ ପ୍ରସ୍ଥାବ ଦେଇଥିଲେ ।
ଭଉଣୀର କଥାକୁ ଭାଇ ବି ଗ୍ରହଣ କରିନେଲେ । ଆଉ ବିବାହ ପାଇଁ ହଁ ଭରିଲେ । ବୋହୂ ପ୍ରଥମେ ବିବାହ ପାଇଁ ଅରାଜି ଥିଲା। ତେବେ ସମସ୍ତେ ବୁଝାସୁଝା କରିବା ପରେ ଦ୍ୱିତୀୟ ବିବାହ କରିବା ପାଇଁ ବୋହୂ ରାଜି ହୋଇଥିଲା। ଶେଷରେ ଉଭୟ ପରିବାର ଓ ଲିଲିଙ୍କ ବାପ ଘର ଲୋକଙ୍କ ଉପସ୍ଥ୍ିତିରେ ବୁଧବାର ଅନୁଗୁଳର ରାଜକିଶୋରପଡ଼ା ଜଗନ୍ନାଥ ମନ୍ଦିରରେ ଏହି ବିଭାହ ଅନୁଷ୍ଠିତ ହୋଇଛି । ତେବେ ଶାଶୁ ପ୍ରତିମାଙ୍କ ଏହି ନିଆରା କାର୍ଯ୍ୟପାଇଁ ଏବେ ତାଙ୍କୁ ଚାରିଆଡୁ ପ୍ରଶଂସାର ସୁଅ ଛୁଟୁଛି ।