ମାଲକାନଗିରି (ଏଟିଆର ବ୍ୟୁରୋ); ଝିଅ ସହ ମିଶି ନିଜ ସ୍ୱାମୀକୁ ମାରିଲେ ମହିଳା । ମଦ ପିଇ ସ୍ତ୍ରୀ ଏବଂ ଝିଅଙ୍କୂ ନିଯ୍ୟାତନା ଦେଉଥିଲେ । ଏହାକୁ ସହ୍ୟ କରିନପାରି ମା ଏବଂ ଝିଅ ମିଶି ମାରିଥିବା ଅଭିଯୋଗ ହୋଇଛି । ମୃତକ ଜଣକ ହେଲେ ପଡିଆ ମାଡକାମୀ । ତେବେ ମାରିବାର ଦୀର୍ଘ ୨୦ ଦିନ ପରେ ପୋଲିସ ଖବର ପାଇବା ପରେ ଅଭିଯୁକ୍ତ ମା ଏବଂ ଝିଅଙ୍କୁ ଗିରଫ କରିଛି ପୋଲିସ । ଅଭିଯୁକ୍ତ ଦ୍ୱୟ ହେଲେ ୧୮ ବର୍ଷୀୟ ଝିଅ ଅଞ୍ଚଳି ମାଡକାମୀ ଏବଂ ୫୦ ବର୍ଷୀୟ ମା ମୁଡେ ମାଡକାମୀ । ପୋଲିସ ଉଭୟଙ୍କୁ ଗିରଫ କରିବା ସହ କୋର୍ଟ ଚାଲାଣ କରିଛି ।
ପୋଲିସ ରିପୋର୍ଟ ଅନୁଯାୟୀ ମଦ ପିଇ ଘରକୁ ଆସି ସବୁବେଳେ ମା ଝିଅଙ୍କୁ ଅକଥନୀୟ ନିର୍ଯ୍ୟାତନା ଦେଉଥିଲେ ପଡିଆ ମାଡକାମୀ । ତେବେ ଏହାକୁ ସହ୍ୟ କରିନପାରି ଶେଷରେ ନିର୍ଯ୍ୟାତନାର ବଦଲା ନେବା ପାଇଁ ମା ଝିଅ ଯୋଜନା କରି ମାରିଥିଲେ । ଉଭୟ ବାହାନା କରି ପଡିଆ ମାଡକାମୀଙ୍କୁ ଡିସେମ୍ବର ୭ ତାରିଖରେ ପଡୋଶୀ ଗାଁ ନେଇ ଯାଇଥିଲେ । ତେବେ ବାଟରେ ଯିବା ସମୟରେ ପଥରରେ ଛେଚି ମାରି ଦେଇଥିଲେ । ପରେ ପାଳ ଏବଂ ନଡା ଦେଇ ତାଙ୍କୁ ପୋଡି ଦେଇଥିଲେ । ତେବେ ଦୀର୍ଘ ଦିନ ପରେ ପୋଲିସ କୈାଣସି ବିଶେଷ ସୂତ୍ରରୁ ଖବର ପାଇବା ପରେ ମା ଝିଅଙ୍କୁ ଗିରଫ କରିଛି ।