ଭୁବନେଶ୍ୱର (ଏଟିଆର ବ୍ୟୁରୋ): ପଶ୍ଚିମ ଓଡିଶାରେ ଟୋକନ ବ୍ୟବସ୍ଥାରେ ହେଉଥିବା ଧାନ କିଣାକୁ ନେଇ ଦେଖା ଦେଇଥିବା ଅସନ୍ତୋଷ ତୀବ୍ର ହେବା ସହ ଚାଷୀମାନେ ରାସ୍ତାକୁ ଓହ୍ଲାଇଛନ୍ତି । ଏବେ ବିଧାନସଭାର ଶୀତକାଳିନ ଅଧିବେଶନ ଚାଲିଥିବା ବେଳେ ଆଜି ଏହି ପ୍ରସଙ୍ଗରେ ପ୍ରଶ୍ନକାଳ ଆରମ୍ଭରୁ ହିଁ ହଟ୍ଟଗୋଳ ଦେଖିବାକୁ ମିଳିଥିଲା । ଗୃହ ଆରମ୍ଭରୁ ବିରୋଧୀ ଦଳର ନେତା ମାନେ ଧାନ କିଣାରେ ଅବ୍ୟବସ୍ଥା ଓ ନାରୀ ନିର୍ଯ୍ୟାତନା ପ୍ରସଙ୍ଗକୁ ନେଇ ପ୍ରଶ୍ନକାଳ ଆରମ୍ଭରୁ ହିଁ ହୋହଲ୍ଲା ଆରମ୍ଭ କରି ଦେଇଥିଲେ । ମାତ୍ର ଗୋଟିଏ ମିନିଟ ପରେ ୧୧ଟା ୩୦ ଯାଏଁ ଗୃହକୁ ମୁଲତବୀ ଘୋଷଣା କରିଥିଲେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ।
ପଶ୍ଚିମ ଓଡ଼ିଶାରେ ଧାନ କିଣାକୁ ନେଇ ହୋଇଥିବା ଟୋକନ ବ୍ୟବସ୍ଥା ଫେଲମାରିଥିବା ବେଳେ ଚାଷୀମାନେ ରାଜରାସ୍ତାକୁ ଓହ୍ଲାଇଛନ୍ତି । ତେଣୁ ଆଜି ପ୍ରଶ୍ନକାଳ ବାତିଲ କରି ଧାନ କିଣା ପ୍ରସଙ୍ଗରେ ଆଲୋଚନା କରାଯାଉ ବୋଲି ବିରୋଧୀ କଂଗ୍ରେସ ଦଳ ପକ୍ଷରୁ ଦାବୀ କରାଯାଇଥିଲା । ଖାଲି ସେତିକି ନୁହେଁ ରାଜ୍ୟରେ ଯେଉଁ ପରିମାଣରେ ନାରୀ ନିର୍ଯ୍ୟାତନା ବୃଦ୍ଧି ପାଉଛି ତାହାକୁ ନେଇ ମଧ୍ୟ ବିରୋଧୀ ଦଳ ପକ୍ଷରୁ ହଟ୍ଟଗୋଳ କରାଯାଇଥିଲା । ହଟ୍ଟଗୋଳ ସମୟରେ କଂଗ୍ରେସ ଦଳ ବିଧାୟକ ତାରା ପ୍ରସାଦ ବାହିନୀପତି ବାଚସ୍ପତିଙ୍କ ପାଖକୁ ଯିବାକୁ ଚେଷ୍ଟା କରିଥିଲେ । ବାଚସ୍ପତି ଗୃହ କାର୍ଯ୍ୟ ଅସମ୍ଭାଳ ହେଉଥିବାର ଦେଖି ଗୃହକୁ ଦିନ ୧୧.୩୦ ଯାଏଁ ଗୃହକୁ ମୁଲତବୀ ଘୋଷଣା କରିଛନ୍ତି । ଏଥିସହ ଗୃହ କାର୍ଯ୍ୟକୁ ସ୍ୱାଭାବିକ କରିବା ପାଇଁ ସର୍ବଦଳୀୟ ବୈଠକ ଡାକିଥିଲେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ।