କଳାହାଣ୍ଡି ( ଏଟିଆର ବ୍ୟୁରୋ): ପୁଣି ଶବକୁ ମିଳିଲା ନାହିଁ ମହାପ୍ରୟାଣ ଗାଡି । ଦଉଡି ଓ କାନ୍ଧରେ ବୁହାହେଲା ଶବ । ୫ କିମି ରାସ୍ତାରେ କାନ୍ଧରେ ବୁହାହେଲା । ଶୋସାଲ ମିଡିଆରେ ଭିଡିଓ ଭାଇରାଲ । ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କଳାହାଣ୍ଡିରେ । ଦାନ ମାଝି ପରେ ବାରମ୍ଭାର ଏଭଳି ସାମ୍ନାକୁ ଆସୁଥିଲେ ମଧ୍ୟ ଚେତୁ ନାହିଁ ବିଭାଗ ।
ବାରମ୍ବାର ଶବକୁ କରା ଯାଉଛି ଅସମ୍ମାନ । କଳାହାଣ୍ଡି କାଣିଗୁମା ହସ୍ପିଟାଲରେ ଏହି ଘଟଣା ଘଟିଛି । ମହାପ୍ରୟାଣ ଗାଡି ନମିଳିବାରୁ ଶବକୁ ପାଞ୍ଚ କିମି ରାସ୍ତା ଦୁଇଜଣ ସମ୍ପର୍କୀୟ ବୋହିଛନ୍ତି । ହସ୍ପିଟାଲରୁ ଘର ପର୍ୟ୍ୟନ୍ତ ୫ କି.ମି. ବାଟ ଝୁଲାରେ ଶବ ବୋହି ନେଇଛନ୍ତି ।
ଗତକାଲି ନିଗିଡି ମାଝିଙ୍କର ମୃତ୍ୟୁ ହୋଇଥିଲା । ଶବକୁ ଘରକୁ ଆଣିବା ପାଇଁ ପରିବାର ପକ୍ଷରୁ ଡାକ୍ତରଖାନା କତ୍ତୃପକ୍ଷଙ୍କୁ ମହାପ୍ରୟାଣ ଗାଡି ଯୋଗାଇ ଦେବାକୁ ଅନୁରୋଧ କରା ଯାଇଥିଲା । ମାତ୍ର ତାହା ଯୋଗାଇ ଦିଆ ଯାଇନଥିବା ଅଭିଯୋଗ ହୋଇଛି । ତେବେ ଏ ନେଇ ଡାକ୍ତରଖାନା କତ୍ତୃପକ୍ଷଙ୍କ ଠାରୁ କୌଣସି ପ୍ରତିକ୍ରିୟା ମିଳି ନାହିଁ ।