କନ୍ଧମାଳ (ଏଟିଆର ବ୍ୟୁରୋ); ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ବିଭିନ୍ନ ଯୋଜନା କରିଛନ୍ତି ରାଜ୍ୟ ସରକାର । କିନ୍ତୁ ଏହା ଠିକଣା ସମୟରେ କାମରେ ଆସୁନାହିଁ । ଯାହାର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ବଣ୍ଡଗୁଣ୍ଡା ଅଞ୍ଚଳରେ । ଟଙ୍କା ନଥିବାରୁ ମୃତ୍ୟୁ ପରେ ଘରକୁ ଆଣିବା ପାଇଁ ମିଳିନଥିଲା ମହାପରାୟଣ ଗାଡି । ଶେଷରେ ହତାଶ ହୋଇ ପରିବାର ଲୋକ ଭାରରେ ବୋହି ମୃତ ଦେହକୁ ଘରକୁ ଆଣିଥିଲେ । ଯାହାକୁ ନେଇ ଏବେ ଆରମ୍ଭ ହୋଇଛି ବିଭିନ୍ନ ଚର୍ଚ୍ଚା ।
ସୂଚନା ଅନୁଯାୟୀ,ଗତକାଲି ବଣ୍ଡମୁଣ୍ଡା ଗାଁର ଦିଲ୍ଲୀପ ବେହେରା ଝାଡା ବାନ୍ତିରେ ଆକ୍ରାନ୍ତ ହୋଇ ସାରଙ୍ଗଗଡ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି ହୋଇଥିଲେ । ସେଠାରେ ଗତକାଲି ତାଙ୍କର ମୃତ୍ୟୁ ହୋଇଥିଲା । ତେବେ ରାତିରେ ଘରକୁ ମୃତ ଦେହ ଆଣିବା ପାଇଁ ତାଙ୍କ ପରିବାର ଲୋକଙ୍କ ପାଖରେ ଟଙ୍କା ନଥିଲା । ଗାଁକୁ ମୃତଦେହକୁ ନେବାକୁ ପରିବାର ଲୋକ ଡାକ୍ତରଙ୍କୁ କହିଥିଲେ, ଗାଡି ନାହିଁ। ବାଲିଗୁଡା ଉପଖଣ୍ଡ ଡାକ୍ତରଖାନା ଯାଇ ଟଙ୍କା ଜମା କଲେ ଗାଡି ବ୍ୟବସ୍ଥା ହୋଇ ପାରିବ ବୋଲି ସଂପୃକ୍ତ ଡାକ୍ତର କହିଥିଲେ।
ଏହାପରେ ପୋଲିସ ଏବଂ ଅନ୍ୟ ଅଧିକାରୀମାନଙ୍କୁ ଯେତେ ଗୁହାରି କରିଥିଲେ ମଧ୍ୟ କୌଣସି ପ୍ରଭାବ ପଡିନଥିଲା । ଟଙ୍କା ନଥିବାରୁ କେହି ବି ସାହାର୍ଯ୍ୟ କରିନଥିଲେ ଶବ ଆଣିବା ପାଇଁ । ଶେଷରେ ବାଧ୍ୟ ହୋଇ ଭାରରେ ବୋହିଥିଲେ ଶବ । ସୂଚନାଯୋଗ୍ୟ, ଦାନ ମାଝୀ କାନ୍ଧରେ ନିଜ ସ୍ତ୍ରୀଙ୍କ ଶବ ବୋହିବା ଘଟଣା ପାଇଁ ସାରା ବିଶ୍ୱରେ ଓଡିଶାକୁ ନିନ୍ଦତ ହେବାକୁ ପଡିଥିଲା । କିନ୍ତୁ ଏହି ଘଟଣା ପରେ ବାରମ୍ବାର ଲୋକମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । କେତେବେଳେ ଟ୍ରଲିରେ ଶବ ବୁହାଯାଉଛି ତ ଆଉ କେତେବେଳେ ଖଟିଆରେ ।