ବଲାଙ୍ଗୀର ( ଏଟିଆର ବ୍ୟୁରୋ): ଭଉଣୀକୁ ବିଦ୍ୟୁତ ଆଘାତରୁ ବଞ୍ଚାଇବାକୁ ଯାଇ ଚାଲିଗଲା ଭାଇ ଜୀବନ । ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବଲାଙ୍ଗୀର ଜିଲ୍ଲା ମୁରିବାହାଲ କୁରିଣ୍ଡା ଗ୍ରାମରେ । ସୂଚନା ଅନୁସାରେ ଉକ୍ତ ଗ୍ରାମର ପ୍ରେମଲତା ସରାଫ ଘର ଝାଡୁ କରୁଥିବା ବେଳେ ଗଣେଶ ପୂଜା ପାଇଁ ଲାଗିଥିବା ଲିଚୁ ଲାଇଟ ସଂସ୍ପର୍ଶରେ ଆସି ଯାଇଥିଲେ । ତାଙ୍କୁ ଶକ୍ତ ଆଘାତ ଲାଗିଥିଲା ।
ତେବେ ପ୍ରେମ ଲତାଙ୍କ ଚିକ୍ରାର ଶୁଣି ସେଠାରେ ତାଙ୍କ ବଡ ଭାଇ ପହଞ୍ଚି ତାରଟିକୁ ଟାଣି ଭଉଣୀକୁ ରକ୍ଷା କରିବାକୁ ଚେଷ୍ଟା କରିଥିଲେ । ମାତ୍ର ଉକ୍ତ ତାରଟି ଅଜାଣତରେ ଭାଇ ସସ୍ପର୍ଶରେ ଆସିଥିଲା । ଭଉଣୀ ବିଦ୍ୟୁତ ଆଘାତରୁ ବଞ୍ଚି ଯାଇଥିଲେ ସୁଦ୍ଧା ଭାଇ କର୍ଣ୍ଣଦାନୀ ଅସୁସ୍ଥ ହୋଇ ପଡିଥିଲେ । କର୍ଣ୍ଣଦାନୀଙ୍କୁ ପରିବାର ଲୋକେ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ଡାକ୍ତର କର୍ଣ୍ଣଦାନୀକୁ ମୃତ ଘୋଷଣା କରିଛନ୍ତି । ପୋଲିସ ମେଡିକାଲରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି ।