ଭୁବନେଶ୍ୱର (ଏଟିଆର ବ୍ୟୁରୋ): ସାରା ବିଶ୍ୱ ଏବେ ଲକ ଡାଉନର ଲଫାପାରେ ବନ୍ଦ ହୋଇ ପଡିଛି । କରୋନାର କାୟା ପାଇଁ ଭାରତ ମଧ୍ୟ ୨୧ ଦିନ ପାଇଁ ଲକ ଡାଉନରେ ରହିଛି । ତେବେ ଏହି ଅବସରରେ ଆଜିଠାରୁ ଦୂରଦର୍ଶନରେ ପ୍ରସାରିତ ହୋଇଛି ରାମାନନ୍ଦ ସାଗରଙ୍କ ନିର୍ଦେଶିତ ରାମାୟଣ । ଦିନ ଥିଲା ଦୂରଦର୍ଶନରେ ପ୍ରସାରିତ ହେଉଥିବା ଧାରାହାହିକ ରାମାୟଣ ପାଇଁ ସାରା ଦେଶରେ ଲକ ଡାଉନର ପରିସ୍ଥିତି ଦେଖା ଦେଉଥିଲା । ଲୋକେ ରାମାୟଣକୁ ଦେଖିବା ପାଇଁ ସବୁ କାମ ଧନ୍ଦା ବନ୍ଦ କରି ଟିଭି ଖୋଲି ବସିଯାଉଥିଲେ । ଅଶି ଦଶକର ଶେଷ ଆଡକୁ ଦୂର ଦର୍ଶନରେ ପ୍ରସାରଣ ହୋଇଥିଲା ପୌରାଣିକ କଥା ବସ୍ତୁକୁ ନେଇ ଧାରା ବାହିକ ରାମାୟଣ । ସାରା ବିଶ୍ୱରେ ୫୫ ଟି ଦେଶରେ ୬୫୦ ନିୟୁତ ଲୋକ ଦେଖୁଥିଲେ ।
ଯେଉଁ ଧାରାବାହିକ ପାଇଁ ଅଶି ଦଶକରେ ବଡବଡ କମ୍ପାନୀରେ ବି କାମ ବନ୍ଦ ହେଇ ଯାଉଥିଲା । ଧାରାବାହିକ ଭାବେ ପ୍ରସାରିତ ହେଉଥିବା ଏହି ପୌରାଣିକ କଥା ବସ୍ତୁର ପ୍ରତି ଏପିସୋଡରେ ରହିଥିଲା ସମାଜ ସଂସ୍କାରର ବାର୍ତ୍ତା । ଆଉ ଭରି ରହିଥିଲା ସସପେନ୍ସ । ଯାହା ଆଗାମୀ ଅଧ୍ୟାୟକୁ ଦେଖିବାକୁ ଲୋକଙ୍କୁ ବାଧ୍ୟ କରି ପକାଉଥିଲା । କୁହାଯାଏ ସେତେବେଳେ ରାମାୟଣ ପାଇଁ ସାରା ଭାରତରେ ରାମାୟଣ ପ୍ରସାରଣ ସମୟରେ ଲକ ଡାଉନର ପରିସ୍ଥିତି ସୃଷ୍ଟି ହେଉଥିଲା । ସେତେବେଳେ ଲୋକଙ୍କ ପାଖରେ ଟିଭି ନଥିଲେ ମଧ୍ୟ ଯାହା ଘରେ ଟିଭି ଥିଲା ତା ଘରେ ସୃଷ୍ଟି ହେଉଥିଲା କ୍ଷୁଦ୍ର ପ୍ରେକ୍ଷାଳୟର ଭ୍ରମ । ସେଦିନ ରାମାୟଶ ପାଇଁ ଲକ ଡାଉନ ହେଉଥିଲା ହେଲେ ଆଜି ଲକ ଡାଉନ ପାଇଁ ରାମାୟଣ ଆରମ୍ଭ ହୋଇଛି ।
ବହୁ ଦର୍ଶକଙ୍କ ଅନୁରୋଧ କ୍ରମେ ପ୍ରସାର ଭାରତୀ ପୁଣି ଏହି ରାମାୟଣ ଦୂରଦର୍ଶନରେ ପ୍ରସାରଣ କରିଛି । ସବୁବେଳେ ଆଧୁନିକତାର ଦ୍ୱାହି ଦେଇ ପୁରାଣ ସଂସ୍କୃତି ଠାରୁ ଦୂରେଇ ରହୁଥିବା ଯୁବଗୋଷ୍ଠୀ ବି ଆଜି ରାମାୟଣର ପ୍ରଥମ ଦିନରେ ରାମାୟଣ ଦେଖୁଥିବା ଦେଖିବାକୁ ମିଳିଛି । ସେ ବାଧ୍ୟବାଧକତା ହେଉ ଅବା ଆବଶ୍ୟକତା ଭାରତୀୟ ପୁରାଣ ସଂସ୍କୃତି ପାଇଁ ଏହା ଏକ ଶୁଭ ସଂଙ୍କେତ । ଅନ୍ୟପଟେ ଆଉ ଗୋଟେ କଥା ମଧ୍ୟ ଦେଖିବାକୁ ଗଲେ ଡିଜିଟାଲ ଯୁଗରେ ଦୂରଦର୍ଶନ ଏକ ପ୍ରକାର ଜନ ମାନସରୁ ହଜି ଯାଇଥିବା କହିଲେ ଅତ୍ୟୁକ୍ତି ହେବ ନାହିଁ ।
ମାତ୍ର ଆଜିର ରାମାୟଣର ପୁନଃ ପ୍ରସାରଣ ଦର୍ଶକଙ୍କୁ ପୁଣି କରିଛି ଦୂରଦର୍ଶନ ମୁହାଁ । ଆଜି ରାମାୟଣର ପ୍ରଥମ ଦିନରେ ରାମ , ଲକ୍ଷ୍ମଣ , ଭରତ ଓ ଶତୃଘ୍ନଙ୍କର ଜନ୍ମଉତ୍ସବ ଓ ବାଲ୍ୟଲୀଳା ପ୍ରସାରିତ ହୋଇଛି । ସୂଚନା ଅନୁସାରେ ସକାଳ ୯ ଟାରୁ ସକାଳ ୧୦ ଟା ପର୍ଯ୍ୟନ୍ତ ଗୋଟିଏ ଏପିସୋଡ ଓ ରାତି ୯ ଟାରୁ ରାତି ୧୦ ଟା ପର୍ଯ୍ୟନ୍ତ ଆଉ ଗୋଟେ ଏପିସୋଡ ପ୍ରସାରଣ ହେବ ।